LIVE TV

ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇଜିପ୍ଟରେ ଗାଜା ଶାନ୍ତି ଚୁକ୍ତି

NEWS7
gaza

ନୂଆଦିଲ୍ଲୀ ୧୩/୧୦: ହମାସ ଇସ୍ରାଏଲ ଯୁଦ୍ଧ ଶେଷ । ଗାଜାରେ ହମାସ-ଇସ୍ରାଏଲ ଯୁଦ୍ଧ ଶେଷ ହେଲା କହିଲେ ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଦେଶ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା । ଇଜିପ୍ଟରେ ଟ୍ରମ୍ପଙ୍କ ଉପସ୍ଥିତିରେ ହେବ ଗାଜା ଶାନ୍ତି ଚୁକ୍ତି । ଶାନ୍ତି ଚୁକ୍ତି ସମ୍ମିଳନୀରେ ଭାରତ ସମେତ ୨୦ଟି ଦେଶର ନେତା ଯୋଗଦେବେ । ଚୁକ୍ତି ଅନୁସାରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଥମେ ଇସ୍ରାଏଲ ଯିବେ ଟ୍ରମ୍ପ ।

ଗାଜା ଯୁଦ୍ଧବିରତି ବୁଝାମଣାର ପ୍ରଥମ ପର୍ଯ୍ୟାୟରେ ହମାସ୍‌ ସୋମବାର ସକାଳେ ୪୮ ଇସ୍ରାଏଲୀ ବନ୍ଧକଙ୍କୁ ଛାଡ଼ିପାରେ । ସେମାନଙ୍କ ମଧ୍ୟରେ ୨୦ ଜୀବିତ ଏବଂ ୨୮ ମୃତକ ଅଛନ୍ତି । ଇସ୍ରାଏଲ ସେନା ଶୁକ୍ରବାର ଅପରାହ୍ନ ସୁଦ୍ଧା ଗାଜାରୁ ପ୍ରାରମ୍ଭିକ ପ୍ରତ୍ୟାହାର କାର୍ଯ୍ୟ ଶେଷ କରିଛି । ଏହା ପରେ ହମାସ୍‌କୁ ୭୨ ଘଣ୍ଟା ସମୟ ଦିଆଯାଇଛି ।

ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ ଗାଜା ଯୁଦ୍ଧ ଶେଷ କରିବା ଲାଗି ଇଜିପ୍ଟରେ ଆଲୋଚନା ହେବ । ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସମେତ ୨୦ରୁ ଅଧିକ ବିଶ୍ୱନେତା ସାମିଲ ହେବେ ।

ଶାର୍ମ ଏଲ୍‌-ଶେଖ୍‌ ଶାନ୍ତି ସମ୍ମିଳନୀରେ ଭାରତର ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ଯୋଗ ଦେବେ । ଏଥିପାଇଁ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତେହ ଏଲ୍‌-ସିସି ଏବଂ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ଏହି ସମ୍ମିଳନୀରେ ହମାସ୍‌ ସାମିଲ ହେବାକୁ ମନାକରିଛି । ଟ୍ରମ୍ପ୍‌ଙ୍କ ଗାଜା ଶାନ୍ତି ଯୋଜନା ମଧ୍ୟରୁ କେତେକ ପ୍ରସ୍ତାବରେ ହମାସ୍‌ ସହମତ ନ ଥିବା ଏହାର ବରିଷ୍ଠ ନେତା ହୋସାମ୍‌ ବଡରାମ କହିଛନ୍ତି । ପାଲେଷ୍ଟିନୀୟଙ୍କୁ ସେମାନଙ୍କ ଜମିରୁ ବିଦା କରିବା କଥା ଯଥାର୍ଥ ନୁହେଁ । ତେଣୁ ବୁଝାମଣାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଶ୍‌ ଜଟିଳ ବୋଲି ସେ ପ୍ରକାଶ କରିଛନ୍ତି ।

ହମାସ୍‌ର ଆଉ ଜଣେ ଅଧିକାରୀ କହିଛନ୍ତି, ହମାସ୍‌ ସଙ୍ଗଠନକୁ ସମ୍ପୂର୍ଣ୍ଣ ଭାବେ ନିରସ୍ତ୍ରୀକରଣ କରିବା ଅସମ୍ଭବ । ହମାସ୍‌କୁ ଗାଜା ଶାସନରୁ ହଟାଯାଇପାରେ କିନ୍ତୁ ଏହାକୁ ଅସ୍ତ୍ରହୀନ କରାଯାଇପାରିବନି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ପ୍ରାୟ ୨,୦୦୦ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବ । ଟାଇମ୍ସ ଅଫ୍‌ ଇସ୍ରାଏଲ ମୁତାବକ, ଅନ୍ତର୍ଜାତୀୟ ରେଡ୍‌ କ୍ରସ୍‌ କମିଟି ବନ୍ଦୀ ଅଦଳବଦଳ ତଦାରଖ କରିବ । ଅପରପକ୍ଷେ ୨ ବର୍ଷ ଧରି ଯୁଦ୍ଧଯନ୍ତ୍ରଣା
ଭୋଗୁଥିବା ପାଲେଷ୍ଟିନୀୟମାନେ ମନରେ ଆଶା ଧରି ଗାଜା ଫେରୁଛନ୍ତି ।

ସେମାନଙ୍କ ଘରଦ୍ୱାର ମାଟିରେ ମିଶିସାରିଥିବାବେଳେ ସେମାନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟ ନିର୍ମାଣ କରାଯାଉଛି । ଯୁଦ୍ଧ ବିଭୀଷିକାର ଦୃଶ୍ୟକୁ ସେମାନେ ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଭଗ୍ନାବଶେଷ ହଟାଇବା ଲାଗି ରାତିଦିନ ରେସ୍କ୍ୟୁ ଟିମ୍‌ କାମରେ ଲାଗିଛନ୍ତି । ଘର ହରାଇଥିବା ଏବଂ ବିସ୍ଥାପିତ ହୋଇଥିବା ୧୯ ଲକ୍ଷରୁ ଊଦ୍ଧ୍ୱର୍ ପାଲେଷ୍ଟିନୀୟଙ୍କ ପାଇଁ ପର୍ଯ୍ୟାପ୍ତ ଟେଣ୍ଟ ବ୍ୟବସ୍ଥା ହୋଇ ନ ଥିବା ସେମାନେ ପ୍ରକାଶ କରିଛନ୍ତି ।

ସେମାନେ ପୁଣି ସେମାନଙ୍କ ଘର ଛିଡ଼ା କରିବା ଏବଂ ଜୀବନ ସ୍ୱାଭାବିକ ହେବା ଆଶା ନିକଟ ଭବିଷ୍ୟତରେ ବେଶ୍‌ କ୍ଷୀଣ ବୋଲି ଗାଜାବାସୀ କହିଛନ୍ତି । ଇସ୍ରାଏଲ ଆକ୍ରମଣରେ ଗାଜାରେ ୬୬ ହଜାରରୁ ଊଦ୍ଧ୍ୱର୍ ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷ ୭୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୮୩% ହେଉଛନ୍ତି ସାଧାରଣ ନାଗରିକ । ସେମାନଙ୍କ ମଧ୍ୟରେ ପ୍ରାୟ ୨୦ ହଜାର ଶିଶୁ ରହିଛନ୍ତି । ୨୨ ଲକ୍ଷ ଲୋକ ଖାଦ୍ୟାଭାବ ସଙ୍କଟର ସାମ୍‌ନା କରୁଛନ୍ତି । ପ୍ରାୟ ୨ ଲକ୍ଷ ଅଟ୍ଟାଳିକା ମାଟିରେ ମିଶିଛି ।