LIVE TV

ଦିନିକିଆ ମହିଳା ବିଶ୍ୱକପ କ୍ରିକେଟ: ଅଷ୍ଟ୍ରେଲିଆ ଆଗରେ ୩୩୧ ରନ୍ ଟାର୍ଗେଟ୍ ରଖିଲା ଭାରତ, ସ୍ମୃତିଙ୍କ ରେକର୍ଡ

NEWS7
India set target 332 runs for australia in World Cup 2025

ବିଶାଖାପାଟନମ: ଦିନିକିଆ ମହିଳା କ୍ରିକେଟ ବିଶ୍ୱକପ୍‌ରେ ୧୩ ତମ ମ୍ୟାଚ୍‌ରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢ଼େଇ ହୋଇଛି। ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ ବିଶାଖାପାଟନମରେ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩୩୦ ରନ୍  ୪୮.୫ ଓଭରରେ କରି ଅଲ୍ ଆଉଟ୍ ହୋଇଯାଇଛି। ଅଷ୍ଟ୍ରେଲିଆର ଆନାବେଲ ସଦରଲ୍ୟାଣ୍ଡ ୪୯ତମ ଓଭରରେ କ୍ରାନ୍ତି ଗୌଡ ଏବଂ ଶ୍ରୀ ଚରଣୀଙ୍କୁ ଆଉଟ୍ କରି ଭାରତୀୟ ଇନିଂସକୁ ଶେଷ କରିଥିଲେ।

ସଦରଲ୍ୟାଣ୍ଡ ତାଙ୍କ ଜନ୍ମଦିନରେ ପାଞ୍ଚଟି ୱିକେଟ ନେଇଥିଲେ। ତଥାପି, ଟିମ୍ ଇଣ୍ଡିଆ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ବିଶ୍ୱକପ ମୁକାବିଲାରେ ଏହା ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସ୍କୋର ୩୦୦ ଅତିକ୍ରମ କରିଛି। ଆଉ ଦୁଇଟି ଯାକ ଭାରତୀୟ ଟିମ କରି ରେକର୍ଡ କରିଛି।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ବିଶାଳ ସ୍କୋର କରିବ ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ପ୍ରତିକା ରାୱଲ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। କଙ୍ଗାରୁ ବୋଲରଙ୍କୁ ପ୍ରହାର କରି ସେମାନଙ୍କର ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ। ଉଭୟ ମିଶି ଦଳର ସ୍କୋରକୁ ୧୫୫ ରନ୍ ପର୍ଯ୍ୟନ୍ତ ନେଇଯାଇଥିଲେ। ଏହାପରେ ମନ୍ଧାନଙ୍କ ୱିକେଟ୍ ଯାଇଥିଲା। ଦୁଇ ଓପନର ଆଜି ଶତକ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ୨୪.୩ ଓଭର ବେଳେ ସ୍ମୃତି ମନ୍ଧାନା ୮୦ ରନ୍ କରି ଆଉଟ ହୋଇଥିଲେ। ସେ ତାଙ୍କ ଇନିଂସରେ ୯ଟି ଚୌକା ଓ ୩ ଛକ୍କା ମାରିଥିଲେ।

ଏହାପରେ କ୍ୟାପ୍ଟେନ ହରମନ ପ୍ରୀତ କୌର ପ୍ରତୀକାଙ୍କ ସହ ମିଶି ବ୍ୟାଟିଂ ଲାଇନ ସମ୍ଭାଳିଥିଲେ। ହେଲେ ଦ୍ରୁତ ଗତିରେ ସ୍କୋର ବଢ଼ାଇବ ଚକ୍କରେ ପ୍ରତୀକା ମଧ୍ୟ ୯୬ ବଲ୍‌ରେ ୭୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆଜି ବି କ୍ୟାପ୍ଟେନ୍ କୌରଙ୍କର ପ୍ରଦର୍ଶନ ସେତେ ଭଲ ହୋଇପାରି ନଥିଲା। ସେ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ହରଲୀନ ଦେଓଲ ଜେମିମାଙ୍କ ସହ ମିଶି ଦଳୀୟ ସ୍କୋରକୁ କିଛି ବାଟ ଆଗକୁ ନେଇଥିଲେ। ୩୭.୨ ଓଭର ବେଳକୁ ହରଲୀନ ୩୮ ରନ୍ କରି ପାଭିଲିଅନ ଫେରିଯାଇଥିଲେ।

ରିଚା ଘୋଷ ଆଜି ମଧ୍ୟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ହେଲେ ସେ ଆଜି ବଡ଼  ସ୍କୋର କରିବାରେ ବିଫଳ ହୋଇଥିଲେ। ଆକ୍ରମଣାତ୍ମକ ଶୈଳୀରେ ଖେଳ ଜାରି ରଖି ୩୨ ରନ୍ କରି ଆଉଟ ହୋଇଥିଲେ। ସେହିପରି ଜେମିମା ରୋଡ୍ରିଗ୍ଜ ୩୩ ରନ୍, ଅମନଜୋତ କୌର ୧୬ ରନ୍, ଦୀପ୍ତୀ ଶର୍ମା ଓ କ୍ରାନ୍ତି ଗୌଡ଼ ମାତ୍ର ୧ ରନ୍ କରି ଆଉଟ ହୋଇଥିବା ବେଳେ ସ୍ନେହଁ ରାଣା ୮ ରନ୍ କରି ନଟ୍‌ ଆଉଟ୍ ରହିଛନ୍ତି।

ଭାରତକୁ ପେନାଲ୍ଟି ରନ୍, ମନ୍ଧାନଙ୍କ ରେକର୍ଡ

ଆଜି ଇନିଂସର ୨୯ତମ ଓଭରରେ ଭାରତକୁ ୫ ପେନାଲ୍ଟି ରନ୍ ଦିଆଯାଇଛି । ଅଷ୍ଟ୍ରେଲୀୟ ଅଧିନାୟିକା ଏକ ବଡ଼ ଭୁଲ କରିଛନ୍ତି । ପ୍ରତୀକା ରାଓ୍ବଲ, ଆନାବେଲ ସଦରଲାଣ୍ଡଙ୍କ ଏକ ଧୀର ବଲରେ ଏକ ଶକ୍ତିଶାଳୀ ସ୍ଲଗ୍ ସ୍ୱିପ୍ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ । ବଲଟି ସିଧା ଷ୍ଟମ୍ପ ପଛରେ ଆଲିସା ହିଲିଙ୍କ ପାଖକୁ ଚାଲିଯାଇଥିଲା। ବଲଟି ପରେ ତଳେ ଥିବା ହିଲିଙ୍କ ହେଲମେଟରେ ବାଜି ଡିପ୍ ଫାଇନ୍ ଲେଗକୁ ଯାଇଥିଲା। ଅଷ୍ଟ୍ରେଲିଆର ବଲକୁ ଧରିବାରେ ବିଫଳତା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଫଳରେ ଭାରତକୁ ମିଳିଥିଲା ୫ ରନ୍‌।

MCC ରୁଲ୍ ବୁକ୍‌ର ନିୟମ 28.3.2 ଅନୁଯାୟୀ, ଯଦି ବଲ ପଡ଼ିଆରେ ଥିବା ଫିଲ୍ଡିଂ ଦଳର ହେଲମେଟରେ ବାଜେ, ତେବେ ଅମ୍ପାୟାର ବ୍ୟାଟିଂ ଦଳକୁ ୫ ପେନାଲ୍ଟି ରନ୍ ଦେବେ। ନିୟମରେ ଏହା ମଧ୍ୟ କୁହାଯାଇଛି, ‘ବଲ ହେଲମେଟରେ ବାଜିବା ପୂର୍ବରୁ ବ୍ୟାଟର କରିଥିବା ରନ ହିସାବ କରାଯିବ ।  ଯଦି ବଲ୍ ବାଜିବା ସମୟରେ ବ୍ୟାଟର ପରଷ୍ପରକୁ ପାସ୍ କରିଥାନ୍ତି, ତେବେ ସେହି ରନ ମଧ୍ୟ ଯୋଡାଯିବ।’  ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ରେ, ବଲ୍ ସେମାନଙ୍କ ହେଲମେଟରେ ବାଜିବା ପୂର୍ବରୁ ବ୍ୟାଟର ପରଷ୍ପରକୁ ପାସ୍ କରିପାରି ନଥିଲେ। ତେଣୁ ବ୍ୟାଟିଂ ଦଳକୁ କୌଣସି ଅତିରିକ୍ତ ରନ ମିଳି ପାରିନଥିଲା। ତେଣୁ ନିୟମ ଅନୁସାରେ, ବ୍ୟାଟିଂ କରୁଥିବା ଦଳ (ଭାରତ)କୁ ୫ ପେନାଲ୍ଟି ରନ୍‌ ମିଳିଥିଲା ।

ସେପଟେ ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତି ମନ୍ଧାନା ୮୦ ରନ୍‌ କରିବା ସହ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ODIରେ ୫୦୦୦ ରନ ପୂରଣ କରିଛନ୍ତି ।  ଏପରି କରିବାରେ ବିଶ୍ୱର ପଞ୍ଚମ ଏବଂ ଭାରତର ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ସ୍ମୃତି ମନ୍ଧାନା । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଦିନିକିଆ କ୍ରିକେଟରେ ୫୦୦୦ ରନ ପୂରଣ କରିଥିଲେ।