ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ଦେଶରେ ଇମିଗ୍ରେସନ ଏବଂ ଫରେନ ଆକ୍ଟ(୨୦୨୫) ଲାଗୁ ହୋଇଯାଇଛି। ଏହି ନୂଆ ଆଇନରେ ପାସପୋର୍ଟ, ଭିସା ଓ ଇମିଗ୍ରେସନରେ ଆଇନକୁ କଡ଼ାକଡ଼ି କରି କରାଯାଇଛି। ଏହି ଆଇନରେ ହୋଟେଲ, ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସୁଥିବା ବିଦେଶୀଙ୍କ ବିଷୟରେ ଅଧିକାରୀମାନଙ୍କୁ ରିପୋର୍ଟ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିସହିତ ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ଦେଶରୁ ବିଦା କରିବା କ୍ଷେତ୍ରରେ ଇମିଗ୍ରେସନ ବ୍ୟୁରୋରକୁ କ୍ଷମତାକୁ ବୃଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ ଅବୈଧ ପ୍ରବାସ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଡେମୋଗ୍ରାଫି ମିଶନ୍ ଗଠନ କରିବାକୁ ଘୋଷଣା କରିଥିବା ବେଳେ ସେପ୍ଟେମ୍ବର ୧ ରୁ ନିୟମ ଲାଗୁ ହୋଇଯାଇଛି। ସୂଚନା ଥାଉକି, ବଜେଟ ଅଧିବେଶନ ସମୟରେ ଏହି ବିଲ୍ ସଂସଦରେ ଗୃହୀତ ହୋଇଥିଲା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୪ ତାରିଖରେ ଏହାକୁ ଅନୁମୋଦନ ଦେବା ପରେ ଏହା ଆଇନରେ ପରିଣତ ହୋଇଥିଲା।

ବିଲ ପାସ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେଉଁ ବିଦେଶୀମାନେ ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟବସାୟ ପାଇଁ ଆସିବେ ସେମାନଙ୍କୁ ସ୍ୱାଗତ କରାଯିବ। କିନ୍ତୁ ଏ ଦେସ ଏକ ଧର୍ମଶାଳା ନୁହେଁ ବୋଲି ଶାହ ଜୋର୍ ଦେଇଥିଲେ।

ପାସପୋର୍ଟ ଜାଲିଆତି କଲେ ୭ ବର୍ଷ ଜେଲ, ୧୦ ଲକ୍ଷ ଫାଇନ

ଯଦି କୌଣସି ବ୍ୟକ୍ତି ଭାରତରେ ପ୍ରବେଶ କରିବା, ରହିବା କିମ୍ବା ପ୍ରସ୍ଥାନ କରିବା ପାଇଁ ନକଲି ପାସପୋର୍ଟ କିମ୍ବା ଭିସା ବ୍ୟବହାର କରନ୍ତି, ତେବେ ତାଙ୍କୁ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। କେବଳ ସେତିକି ନୁହେଁ, ଯାତ୍ରୀମାନଙ୍କୁ ଯେଉଁମାନେ ନକଲି ପାସପୋର୍ଟ କିମ୍ବା ଯାତ୍ରା ଡକ୍ୟୁମେଣ୍ଟ ଯୋଗାଇବେ ସେମାନଙ୍କ ପାଇଁ ମଧ୍ୟ ଆଇନରେ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ଆଇନ ଅନୁଯାୟୀ ହୋଟେଲ, ହସ୍ପିଟାଲ, ନର୍ସିଂ ହୋମ୍, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଦେଶୀମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଯାହାଦ୍ୱାରା ଭିସା ଅବଧି ସରିବା ପରେ ଅଧିକ ସମୟ ଧରି ରହୁଥିବା ଲୋକଙ୍କ ଉପରେ ନଜର ରଖାଯାଇପାରିବ।ପିଟିଆଇ ରିପୋର୍ଟ ଅନୁଯାୟୀ, ଏହା କେନ୍ଦ୍ର ସରକାରଙ୍କୁ ଯେକୌଣସି ବିଦେଶୀଙ୍କ ଦ୍ୱାରା ବାରମ୍ବାର ଯାତାୟାତ ହେଉଥିବା ସ୍ଥାନଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ କ୍ଷମତା ଦେବ।  

ଇମିଗ୍ରେସନ ବ୍ୟୁରୋର କ୍ଷମତା ବୃଦ୍ଧି

୧୯୭୧ ମସିହାରେ ସ୍ଥାପିତ ହୋଇଥିବ ବ୍ୟୁରୋ ଅଫ୍ ଇମିଗ୍ରେସନକୁ ଏହି ନୂଆ ଆଇନ ଅଧିକ କ୍ଷମତା ଦେଇଛି। ସଂସ୍ଥା ଚାହିଁଲେ ବେଆଇନ ପ୍ରବାସୀଙ୍କ ଉପରେ ଚଢ଼ାଉ କରିପାରିବ। ଗେଜେଟ୍ ବିଜ୍ଞପ୍ତି ଅନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋର ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିବା ଇମିଗ୍ରେସନ ବ୍ୟୁରୋ, ବିଦେଶୀଙ୍କ ଚିହ୍ନଟ, ଅଟକ ଏବଂ ନିର୍ବାସନ ସମ୍ପର୍କରେ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ସ୍ଥାପନ କରିବ।

ନୂଆ ଆଇନ ବର୍ତ୍ତମାନ ଇମିଗ୍ରେସନ ବ୍ୟୁରୋକୁ ନ୍ୟସ୍ତ କାର୍ଯ୍ୟ କରିବା ପାଇଁ ଆଇନଗତ ସମର୍ଥନ ଦେଇଛି ଯଦିଓ ଏଜେନ୍ସି ପୂର୍ବରୁ ସମାନ କାର୍ଯ୍ୟ କରୁଥିଲା, ଏହାର ଭୂମିକା ପରିଚାଳନ କରାଯାଉ ଥିଲା, ଏବଂ ଆଇନରେ ବ୍ୟବବସ୍ଥା ନଥିଲା ବୋଲି ଦି ହିନ୍ଦୁ ରିପୋର୍ଟ କରିଛି

ନୂଆ ଆଇନରେ ବିଦେଶୀଙ୍କ ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ କରିବାକୁ ଅନୁମତି ରହିଛି। ଇମିଗ୍ରେସନ୍ ବ୍ୟୁରୋ ଆଇଟି ସିଷ୍ଟମ ପରିଚାଳନା କରିବ ଏବଂ ଇମିଗ୍ରେସନ୍ ଏବଂ ବିଦେଶୀଙ୍କ ସହ ଜଡିତ ବିଷୟଗୁଡ଼ିକର ତଥ୍ୟର ରଖିବ। ତତସହିତ କେନ୍ଦ୍ରକୁ ଇମିଗ୍ରେସନ୍ ଏବଂ ବିଦେଶୀଙ୍କ ସହ ଜଡିତ ନୀତିଗତ ପ୍ରସଙ୍ଗରେ ପରାମର୍ଶ ଦେବ। ଭାରତରେ ୨୦ ନିୟୁତ ବାଂଲାଦେଶୀ ଅବୈଧ ପ୍ରବାସୀ ଅଛନ୍ତି, ତତ୍କାଳୀନ କନିଷ୍ଠ ଗୃହମନ୍ତ୍ରୀ କିରେନ୍ ରିଜିଜୁ ୨୦୧୬ରେ ସଂସଦରେ ଏହି ତଥ୍ୟ ରଖିଥିଲେ। ଏମାନଙ୍କୁ ଦେଶରୁ ବିଦା କରିବାକୁ ଚେଷ୍ଟା କରାଯାଉଛି।

ନୂଆ ଆଇନ ଅନୁସାରେ କିଏ ପ୍ରକୃତ ଅବୈଧ ପ୍ରବାସୀ ?

ଏହି ନୂଆ ଆଇନ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବ। ଯେଉଁମାନେ ବି ଭିସାର ଅବଧି ଶେଷ ପରେ ଦୀର୍ଘଦିନ ଧରି ଭାରତରେ ରହୁଥିବେ, ସେମାନଙ୍କୁ ଅବୈଧ ପ୍ରବାସି ବୋଲି ଚିହ୍ନଟ କରାଯିବ। ନୂଆ ବିଦେଶୀ ଆଇନ ଖୁବ ଗୁରୁତ୍ୱ ବହନ କରୁଛି। କାରଣ ଏଥିରେ ସରକାର ଅବୈଧ ପ୍ରବାସୀଙ୍କୁ ଯାଞ୍ଚ କରିବା ଏବଂ ଭାରତରେ ଅବୈଧ ଭାବରେ ରହୁଥିବା ବିଦେଶୀମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରାଥମିକତା ଦିଆଯାଇଛି। ମେଁ ମାସର କିଛି ବିଜେପି ଶାସିତ ରାଜ୍ୟ ବେଆଇନ ବାଂଲାଦେଶୀଙ୍କ ଚିହ୍ନଟ କରିବା କାମ ଆରମ୍ଭ କରିଦେଇଛି।