News7 Logo

ନେପାଳରେ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାରତର ସ୍ୱାଗତ, ପିଏମ୍‌ ମୋଦୀ କହିଲେ ସଂପର୍କ ସୁଦୃଢ ହେବ

NEWS7
india_nepal

ନୂଆଦିଲ୍ଲୀ ୧୩/୦୯: ନେପାଳରେ ସୁଶୀଳା କାର୍କିଙ୍କ ନେତୃତ୍ବରେ ନୂଆ ଅନ୍ତରୀଣ ସରକାର ଗଠନକୁ ଭାରତ ସ୍ବାଗତ କରିଛି । ବିଦେଶ ମନ୍ତ୍ରାଳୟ ବୟାନ ଜାରି କରି କହିଛି, ନେପାଳରେ ଶାନ୍ତି ଏବଂ ସ୍ଥିରତା ଆସିବା ଆଶା ରହିଛି । ଉଭୟ ଦେଶ ଦୀର୍ଘମିଆଦି ବିକାଶ ଲକ୍ଷ୍ୟରେ ମିଶି କାମ କରିବେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ସେମାନେ ଉଭୟ ଦେଶର ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବେ।

ସୁଶୀଳା କାର୍କିଙ୍କ ନେତୃତ୍ୱରେ ନେପାଳର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନକୁ ଭାରତ ସ୍ୱାଗତ କରୁଛି। ଆହୁରି ମଧ୍ୟ କୁହାଯାଇଥିଲା ଯେ ନେପାଳ ଭାରତର ସବୁଠାରୁ ନିକଟତମ ପଡ଼ୋଶୀ ଏବଂ ଦୀର୍ଘ ସମୟ ଧରି ଭାରତର ବିକାଶ ସହଯୋଗୀ ରହିଛି। ଉଭୟ ଦେଶ ଲୋକଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ନେପାଳ ସହିତ ମିଳିତ ଭାବରେ କାମ କରିବେ।

ସୂଚନା ଥାଉକି, ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଳୀଳା କାର୍କି । ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଲେ । ସାରା ନେପାଳରେ ଜରୁରି ପରିସ୍ଥିତି ଜାରି ହେବା ସହ  ଦେଶବ୍ୟାପୀ ସେନା ମୁତୟନ କରାଯାଇଛି । ସଂସଦକୁ  ଭାଙ୍ଗି ଦିଆଯାଇଥିବା ବେଳେ , ୨୦୨୬ ମାର୍ଚ୍ଚ ୫ରେ  ନିର୍ବାଚନ ହେବ ।  ନେପାଳ ନେତୃତ୍ବ କାହା ହାତକୁ ଯିବ ତାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦେଶର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ରାଷ୍ଟ୍ରପତି ଭବନ ଶୀତଲ ନିବାସରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶ ଶପଥ ନେଇଛନ୍ତି।

ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ୭୩ ବର୍ଷୀୟା ବର୍ଷୀୟା ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ର ଭାବରେ ଇତିହାସ  ରଚିଛନ୍ତି। ସେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ଗୌରବ ମଧ୍ୟ ହାସଲ କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ପରାଷ୍ଟ୍ରପତି ରାମସହାୟ ଯାଦବ, କାଠମାଣ୍ଡୁ ମେୟର ବାଲେନ ଶାହ, ପ୍ରଧାନ ବିଚାରପତି ପ୍ରକାଶ ମାନ୍ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୬ ମାର୍ଚ୍ଚ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।

ସୁଶୀଳା ପ୍ରଧାନମନ୍ତ୍ରୀ ହେବା ନେଇ ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସନ୍ଧ୍ୟାରେ ଘୋଷଣା କରାଯାଇଥିଲା ।ଜେନ୍ -ଜି ଆନ୍ଦୋଳନକାରୀ, ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଏବଂ ସେନା ମୁଖ୍ୟ ଅଶୋକ ରାଜ ସିଗ୍ ଦେଲଙ୍କ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପରେ ସୁଶୀଳା ଏହି ସଙ୍କଟବେଳେ ଦେଶର ଶାସନ ସମ୍ଭାଳିବେ ବୋଲି ସହମତି ହୋଇଥିଲା। ଶପଥ ଗ୍ରହଣ ସମାରୋହ ପାଇଁ ରାଷ୍ଟ୍ରପତି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଭାବେ ଶପଥ ପରେ ସୁଶୀଳା ପ୍ରଥମ କ୍ୟାବିନେଟ ବୈଠକ ଡକାଇଥିଲେ। ଏଥିରେ ସେ ସାରା ଦେଶରେ ଜରୁରି ପରିସ୍ଥିତି ଘୋଷଣା କରିଥିଲେ । ଅଧରାତିରୁ ଜରୁରି ପରିସ୍ଥିତି ଲାଗୁ ହେବା ପରେ ଦେଶବ୍ୟାପୀ ସେନା ମୁତୟନ କରାଯାଇଛି।