ମୁମ୍ୱାଇ ୦୩/୧୧: ଏଥର ଭାରତ ଓ ଶ୍ରୀଲଙ୍କା ମହିଳା ଦିନିକିଆ ବିଶ୍ୱକପ୍‌ର ଯୁଗ୍ମ ଆୟୋଜକ ଥିଲେ । ପୂର୍ବରୁ ଭାରତ ୨ ଥର ଫାଇନାଲ (୨୦୦୫, ୨୦୧୭) ଖେଳିଥିଲେ ବି ଟାଇଟଲ ତୋଳି ଧରିବାର ସ୍ୱପ୍ନ ପୂରା କରିପାରି ନଥିଲା । ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଶ୍ରେଷ୍ଠ ଅଲରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ତେବେ ବିଶ୍ୱ ବିଜେତା ଟିମ୍‌କୁ ୫୧ କୋଟିର ପୁରଷ୍କାର ଦେଇଛି ବିସିସିଆଇ । ଭାରତୀୟ ଦଳର ବିଜୟ ପରେ ପୁରସ୍କାର ରାଶିର ବର୍ଷା ହେଉଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳି ଏବଂ ଦଳର ସହାୟକ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। BCCI ଭାରତୀୟ ଦଳକୁ ₹୫୧ କୋଟି ପୁରସ୍କାର ରାଶି ପ୍ରଦାନ କରିବ। BCCI ସଚିବ ଦେବଜିତ ସାଇକିଆ ଏହା ନିଶ୍ଚିତ କରିଛନ୍ତି। ଏହା ପ୍ରଥମ ଥର ଯେତେବେଳେ ଭାରତୀୟ ମହିଳା ଦଳ ଏତେ ବଡ଼ ପୁରସ୍କାର ରାଶି ପାଇବ।

ସେପଟେ ଦକ୍ଷିଣ ଆଫ୍ରିକା ଟାଇଟଲରୁ ବଞ୍ଚିତ ହୋଇଥିଲେ ମଧ୍ୟ, ଏହା ଏପର୍ଯ୍ୟନ୍ତ ସର୍ବାଧିକ ରନର୍ସ-ଅପ୍ ପୁରସ୍କାର ରାଶି ପାଇଛି। ଦ୍ୱିତୀୟ ସ୍ଥାନ ଅଧିକାର କରିବା ପାଇଁ ଆଫ୍ରିକୀୟ ଦଳ $୨.୨୪ ମିଲିୟନ କିମ୍ବା ପ୍ରାୟ ₹୨୦ କୋଟି ପାଇଛି। ଏହା ସହିତ, ଆଫ୍ରିକୀୟ ଦଳକୁ ପୂର୍ବ ନିର୍ଦ୍ଧାରିତ ₹୨.୨୨ କୋଟି (ପ୍ରାୟ ₹୨.୨ କୋଟି) ମଧ୍ୟ ମିଳିବ । ଆଫ୍ରିକୀୟ ଦଳ ଲିଗ୍ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍ ଜିତିଛି । ତେଣୁ ପ୍ରତି ମ୍ୟାଚ୍ ପାଇଁ ₹୧.୫ କୋଟି (ପ୍ରାୟ ₹ ୩୪,୩୧୪) ରୁ ଅଧିକ ପୁରସ୍କାର ରାଶି ମିଳିବ ।  

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଛି ।  ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି ।

ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ବ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ବକପ୍‌ ବିଜୟ । ପ୍ରଥମେ ବ୍ୟାଟିଂ କରି ସ୍ମୁତି ମନ୍ଧାନା ୪୫ ରନ୍ ଓ ଶେଫାଳି ବର୍ମା ୮୭ ରନ୍ ଶତକୀୟ ଭାଗୀଦାର ପରେ ଭାରତ ୨୯୮ ରନ୍‌ କରିଥିଲା । ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍‌ରେ ଶେଷ ହୋଇଯାଇଥିଲା ।

ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍‌ରାଉଣ୍ଡର୍‌ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା । ଅଲରାଉଣ୍ଡର ପଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ୮୭  ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ ।  ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍‌ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ବପ୍ନ ଅଧୁରା ରହିଯାଇଛି ।