LIVE TV

ICC Test Ranking: କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗ ହାସଲ କଲେ କୁଲଦୀପ, ଫାଇଦରେ ଯଶସ୍ଵୀ ଜୟସ୍ଵାଲ

NEWS7
Kuldeep Yadav

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ବାମହାତୀ ରିଷ୍ଟ ସ୍ପିନର କୁଲଦୀପ ଯାଦବ । ଏହି ପ୍ରଦର୍ଶନ ବଳରେ କୁଲଦୀପ ଆଇସିସି ଦ୍ଵାରା ଘୋଷିତ ସଦ୍ୟତମ ଟେଷ୍ଟ ମାନ୍ୟତାରେ କମାଲ୍ କରିଛନ୍ତି। ସେ ସାତଟି ସ୍ଥାନ ଉନ୍ନତି ଘଟାଇ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା।

ବ୍ୟାଟିଂ ମାନ୍ୟତାରେ ଭାରତର ଓପନର ଯଶସ୍ଵୀ ଜୟସ୍ଵାଲ ପ୍ରଥମ ଇନିଂସରେ ୧୭୫ ରନ କରିବା ପରେ ଦୁଇଟି ସ୍ଥାନ ଉନ୍ନତି ଘଟାଇ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ସେହିପରି କେଏଲ ରାହୁଲ ୩୮ ରନ ଓ ଅପରାଜିତ ୫୮ ରନ ବଳରେ ଦୁଇଟି ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନରେ ପହଞ୍ଚିଛନ୍ତି।  ଓ୍ଵେଷ୍ଟଇଣ୍ଡିଜ ବ୍ୟାଟରଙ୍କ ମଧ୍ୟରେ ସାଇ ହୋପ୍ ୩୪ଟି ସ୍ଥାନ ଉନ୍ନତି ଘଟାଇ  ୬୬ତମ ସ୍ଥାନକୁ ଉଠିଛନ୍ତି।ଜନ କ୍ୟାମ୍ପବେଲ ଛଅଟି ସ୍ଥାନ ଉନ୍ନତି ଘଟାଇ ୬୮ତମ ସ୍ଥାନରେ ପହଞ୍ଚିଛନ୍ତି। ଏହି ଦୁଇ ବ୍ୟାଟର ଦ୍ଵିତୀୟ ଟେଷ୍ଟରେ ଦ୍ଵିତୀୟ ଇନିଂସରେ ଇଣ୍ଡିଜ ପକ୍ଷରୁ ଶତକ ହାସଲ କରିଥିଲେ।

ଅନ୍ୟପଟେ ଦିନିକିଆରେ ଆଫଗାନିସ୍ତାନର ତାରକା ଲେଗ ସ୍ପିନର ରଶିଦ ଖାନ ବୋଲିଂରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷରେ ଦିନିକିଆରେ ଆଫଗାନିସ୍ତାନର ୩-୦ର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଶିଦ ୧୧ଟି ଓ୍ଵିକେଟ୍ ହାସଲ କରିଥିଲେ। ଏହି ପ୍ରଦର୍ଶନ ବଳରେ ସେ ପଞ୍ଚମ ସ୍ଥାନରୁ ସିଧାସଳଖ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ୭୧୦ ରେଟିଂ ପଏଣ୍ଟ ସହ ରଶିଦ ଏକ ନମ୍ବରରେ ପହଞ୍ଚିଛନ୍ତି। ୬୮୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ଦ୍ଵିତୀୟ ସ୍ଥାନକୁ ଖସିଛନ୍ତି। ରଶିଦ ୨୦୧୮ ସେପ୍ଟେମ୍ବରରେ ପ୍ରଥମ ଥର ନମ୍ବର ଓ୍ଵାନ ଦିନିକିଆ ବୋଲର ହୋଇଥିବା ବେଳେ ଶେଷ ଥର ୨୦୨୪ରେ ଏହି ସ୍ଥାନରେ ଥିଲେ।