ପୁରୀ ୦୭/୧୧: ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି । ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍‌ କ୍ୟାମେରା । ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଯାଇଥିଲେ ଜଣେ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ଭରତ ପାଣ୍ଡିଆ ।

ଜଗମୋହନରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ଧରିଛନ୍ତି । ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ବାର ଥାନାକୁ ନିଆଯାଇଛି ।

ପୂର୍ବରୁ ମଧ୍ୟ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ। ଏହି ଘଟଣା ନୂଆ ନୁହେଁ । ବାରମ୍ୱାର ଶ୍ରୀମନ୍ଦିର ଭିତରୁ ଜବତ ହେଲାଣି ହିଡେନ୍ କ୍ୟାମେରା । ଗତ କିଛି ଦିନ ତଳେ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା ।

ଏହା ପୂର୍ବରୁ ଜଣେ ଗୁଜୁରାଟୀ ଭକ୍ତଙ୍କଠାରୁ ଧରାପଡିଥିଲା ହିଡେନ୍ କ୍ୟାମେରା । ଖାଲି ହିଡେନ କ୍ୟାମେରା ନୁହେଁ ଚଷମାରେ ସ୍ପାଏ୍ କ୍ୟାମେରା ବି ଧରାପଡିଥିଲା । ସେପଟେ ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।