କୋରାପୁଟ: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଏକାଧିକ ଅଞ୍ଚଳରେ ବହୁତ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି । ଗାଦିଆଗୁଡ଼ା ପଞ୍ଚାୟତ ବାଲିଘାଟ ଏବଂ ବଗେଇ ପଦର ଗ୍ରାମକୁ ସଂଯୋଗ କରିଥିବା ରାସ୍ତାର ଏକ ପୋଲ ବର୍ଷାରେ ଧୋଇ ଯାଇଥିବା ଦେଖିବାକୁ ମିଳିଛି। ଫଳରେ ବାଲିଘାଟ ଏବଂ ବଗେଇପଦର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।

ସେହିଭଳି ଘାଟଗୁଡ଼ା ନିକଟ ଅସ୍ଥାୟୀ ଡାଇଭର୍ସନ ପୋଲ ଉପରେ ୫ଫୁଟର ବର୍ଷା ପାଣି ଜମି ରହିଥିବାରୁ କୋରାପୁଟ ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଗାଡ଼ି ଚଳାଚଳ ଠପ୍ ହୋଇପଡ଼ିଛି। ଜାତୀୟ ରାଜପଥ ଉଭୟ ପଟେ ଅଟକି ରହିଛି ଶତାଧିକ ଛୋଟ ବଡ଼ ଗାଡ଼ି ।

ସେପଟେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। କୋରାପୁଟ ଡୁମୁରିପୁଟ ମଝିରେ ରେଳ ପଥର ଡାଉନ୍ ଲାଇନରେ ପାହାଡ଼ରୁ ପଥର ଖଣ୍ଡ ପଡ଼ିଥିବା ଜଣାପଡ଼ିଛି। ଫଳରେ ବିଶାଖାପାଟଣା- କିରୁଣ୍ଡଲ ନାଇଟ୍‌ ଏକ୍ସପ୍ରେସ ଉଭୟ ପଟୁ ବାତିଲ କରାଯାଇଛି। ଏନେଇ ଓ୍ବାଲଟିୟର ରେଳ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ରେଳ ଷ୍ଟେସନ ଠାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି।