ନୂଆଦିଲ୍ଲୀ: ବିଶ୍ୱ ଚେସ୍ ଚାମ୍ପିଅନ୍ ଡି.ଗୁକେଶ ଆମେରିକାର ସେଣ୍ଟ ଲୁଇସରେ ଆୟୋଜିତ କ୍ଲଚ୍ ଚେସ୍ ଚାମ୍ପିଅନ୍ସ ସୋଡାଉନ୍ ୨୦୨୫ରେ ଆମେରିକାର ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରାଙ୍କୁ ପରାସ୍ତ କରିଛନ୍ତି । ରାପିଡ୍ ଫର୍ମାଟରେ ପରାସ୍ତ କରି ମିନି ମ୍ୟାଚ୍ ନିଜ ନାଁରେ କରିଛନ୍ତି । ଏହା କେବଳ ଏକ ବିଜୟ ନୁହେଁ, ବରଂ ସେହି ବିବାଦର ଜବାବ ମଧ୍ୟ, ଯାହା କିଛି ଦିନ ପୂର୍ବରେ ଚେସ୍ ଦୁନିଆକୁ ଦୋହଲାଇ ଦେଇଥିଲା । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ନାକାମୁରା ମ୍ୟାଚ୍ ଜିତିବା ପରେ ଗୁକେଶଙ୍କ କିଙ୍ଗକୁ ଦର୍ଶକଙ୍କ ମଧ୍ୟକୁ ଫୋପାଡ଼ି ଦେଇଥିଲେ । ଏହି ଘଟଣା ପରେ ବିବାଦ ସୃଷ୍ଟି ହୋଇଥିଲା ।

ଗୁକେଶ ରାଉଣ୍ଡ ୨ର ପ୍ରଥମ ଗେମରେ କଳା ଗୋଟିରେ ଖେଳି ଚମତ୍କାର ରଣନୀତି ସହ ବିଜୟୀ ହୋଇଥିଲେ । ଏହାପରେ ସମସ୍ତଙ୍କ ନଜର ତାଙ୍କ ରିଆକ୍ସନ ଉପରେ ଥିଲା । କିନ୍ତୁ ଗୁକେଶ ନିଜ ଭାବନାକୁ ନିୟନ୍ତ୍ରଣରେ ରଖି ଶାନ୍ତିରେ ବୋର୍ଡକୁ ରିସେଟ୍ କରିଥିଲେ । ଗୋଟିଗୁଡ଼ିକୁ ସେମାନଙ୍କ ସ୍ଥାନରେ ରଖିଥିଲେ ଓ ନାକାମୁରାଙ୍କ ସହ ହାତ ମିଶାଇଥିଲେ । ଗୁକେଶଙ୍କ ଏହି ପ୍ରତିକ୍ରିୟା ପ୍ରଶଂସକଙ୍କ ହୃଦୟ ଜିତି ନେଇଛି । ସୋସିଆଲ୍ ମିଡିଆରେ ମଧ୍ୟରେ ଏହି ସମୟର ଭିଡିଓ ଖୁବ ଭାଇରାଲ୍ ହେଉଛି । ପ୍ରଶଂସକଙ୍କ କହିବା କଥା, ଗୁକେଶ ଖେଳ ଭାବନାର ଉଦାହରଣ ସୃଷ୍ଟି କରିଛନ୍ତି

'ଚେକମେଟ୍: ଭାରତ ବନାମ ଆମେରିକା' ପ୍ରଦର୍ଶନୀ ଇଭେଣ୍ଟ ନିକଟରେ ଟେକ୍ସାସର ଆର୍ଲିଂଟନରେ ଆୟୋଜିତ କରାଯାଇଥିଲା । ଏହି ସମୟରେ ଆମେରିକାର ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରା ଭାରତର ଯୁବ ଗ୍ରାଣ୍ଡମାଷ୍ଟର ଓ ବିଶ୍ୱ ଚାମ୍ପିଅନ ଡି ଗୁକେଶଙ୍କୁ ପରାସ୍ତ କରିବା ପରେ ତାଙ୍କ ରାଜାକୁ ଦର୍ଶକଙ୍କ ମଧ୍ୟକୁ ଫିଙ୍ଗି ଦେଇଥିଲେ । ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ଓ ସମାଲୋଚନା କରାଯାଇଥିଲା । ତେବେ ଏହାପରେ ରିପୋର୍ଟ ସାମନାକୁ ଆସିଥିଲା ଯେ ରାଜା ଗୋଟି ଫିଙ୍ଗିବା ପାଇଁ ଆୟୋଜକଙ୍କ ଦ୍ୱାରା ପୂର୍ବରୁ ଯୋଜନା କରାଯାଇଥିଲା । ପ୍ରସିଦ୍ଧ ଚେସ୍ ବିଶେଷଜ୍ଞ ଲେଭି ରୋଜମନ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ, ଏହା ପ୍ରତ୍ୟାଶିତ ଓ ଅପମାନଜନକ କାର୍ଯ୍ୟ ଲାଗିପାରେ । କିନ୍ତୁ ଆୟୋଜକମାନେ ଏପରି କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।