କଟକ: ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ । ୭୫ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ରୁଚି କମ୍ପାନୀର ପ୍ରତିଷ୍ଠାତା ଥିଲେ ଶରତ ଚନ୍ଦ୍ର ସାହୁ।

ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିବା ‘ରୁଚି’ ଶିଳ୍ପୋଦ୍ୟୋଗ। ଏହାର ପ୍ରତିଷ୍ଠାତା ଶରତ କୁମାର ସାହୁ ଏକ ସୁପରିଚିତ ନାଁ । ଦୀର୍ଘ ବର୍ଷ ଧରି ଓଡ଼ିଶାର ଘରେ ଘରେ ‘ରୁଚି’ ମସଲାକୁ ପହଂଚାଇବା ଏବଂ ଗୁଣାତ୍ମକ ମାନର ମସଲା ଉତ୍ପାଦନ କରି ଶରତ କୁମାର ସାହୁ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଓମ୍‌ ଅଏଲ୍‌ ଆଣ୍ଡ ଫ୍ଲୋର ମିଲ୍ସ’ ନାମକ ଏକ ଛୋଟ ଉଦ୍ୟୋଗ କଟକ ଶିଳ୍ପାଞ୍ଚଳରେ ଆରମ୍ଭ ହୋଇଥିଲା।

ଏହି ଛୋଟ ଉଦ୍ୟୋଗ ୧୯୭୬ ମସିହାରେ ଆରମ୍ଭ ହୋଇ ଆଗକୁ ବଢ଼ିଥିଲା। ଏହି କଂପାନିର ୪୯ ବର୍ଷର ଯାତ୍ରା ଆରମ୍ଭରୁ ହଳଦୀ ଗୁଣ୍ଡ ଉତ୍ପାଦନ କରୁଥିଲା। ଧୀରେଧୀରେ ବ୍ୟବସାୟ ବଢ଼ିବାରୁ ବିଭିନ୍ନ ମସଲା ଉତ୍ପାଦନ କରିଥିଲା। ଆଜିର ଦିନରେ ‘ରୁଚି’ ଏକ ଜଣାଶୁଣା ନାଁ। ପାସ୍ତା, ନୁଡୁଲ୍ସ, ରେଡ୍ଡୀ ଟୁ ଇଟ୍‌ ଖାଦ୍ୟ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ମଧ୍ୟରୁ ଅଗ୍ରଣୀ ନାମ। ହଳଦୀ, ଲଙ୍କା, ଜୀରା, ଧନିଆ ଗୁଣ୍ଡ ସହିତ ଗୁଣମାନର ମସଲା ପ୍ରସ୍ତୁତି ଓ ତା’ର ମାର୍କେଟିଂ କ୍ଷେତ୍ରରେ ଓଡ଼ିଶାରେ ‘ରୁଚି’ ହିଁ ସର୍ବପ୍ରଥମ ପ୍ରୟାସ ଆରମ୍ଭ କରିଥିଲା । ସେହିଭଳି ସିମେଇ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ରୁଚି ଉଦ୍ୟୋଗର ପ୍ରୟାସ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଏକ ସଫଳ ମାଇଲଖୁଣ୍ଟ । ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ ଶରତ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ସେ କବାଡ଼ି ଖେଳିବା, ଫୁଟବଲ, ବ୍ୟାଡମିଂଟନ ଖେଳିବାକୁ ଭଲ ପାଆନ୍ତି। ତାଙ୍କ ସେବା ମନବୃତୀ ପାଇଁ ସେ ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ଓଡ଼ିଶାରେ ଚାରି ଦଶନ୍ଧି ଧରି ପରିଚିତ ‘ରୁଚି’ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ସଫଳତା ପଛରେ କଂପାନିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁଙ୍କର ବଡ଼ ଭୂମିକା ରହିଛି। ତାଙ୍କର କଠୋର ପରିଶ୍ରମ ଏବଂ ପରିଚାଳନା ଯୋଗୁଁ ଏହା ଲୋକପ୍ରିୟ ହୋଇପାରିଛି। ରୁଚି ମସଲା ଭାରତର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିଛି। ବିଦେଶକୁ ମଧ୍ୟ ଏହି ମସଲା ରପ୍ତାନୀ ହେଉଛି। ମାତ୍ର ୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ରୁଚି କମ୍ପାନୀ ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ।

​​​​​​​​​​​​​​