LIVE TV

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ୫ ବର୍ଷର ଜେଲ ଦଣ୍ଡ, ନିର୍ବାଚନ ପାଇଁ ବେଆଇନ ପାଣ୍ଠି ଯୋଗାଡ଼ କରିଥିବା ଅଭିଯୋଗରେ କୋର୍ଟ ଶୁଣାଇଲେ ରାୟ

NEWS7
Former French president Nicolas Sarkozy on Tuesday entered prison to begin a five-year sentence

ନୂଆଦିଲ୍ଲୀ: ଜେଲ୍‌ ଗଲେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସରକୋଜି। ୨୦୦୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲିବିୟାରୁ ଅବୈଧ ଭାବରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ରେ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ପାଞ୍ଚ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ଏହି ପୂର୍ବତନ ରୂଢ଼ିବାଦୀ ନେତା ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଫ୍ରାନ୍ସର ଶାସନ ଗାଦିରେ ବସିଥିଲେ। ବଡ଼କଥା ହେଲା ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ନାଜୀ ସହଯୋଗୀ ମାର୍ଶଲ ଫିଲପ ପେଟେନଙ୍କ ପରେ, ଏଭଳି ପଦବୀରେ ରହିଥିବା କେହି ବ୍ୟକ୍ତି ଜେଲ୍ ଯିବାରେ ନିକୋଲାସ ହେଉଛନ୍ତି ଦ୍ବିତୀୟ।

ସରକୋଜିଙ୍କୁ ପୋଲିସର କଡ଼ା ସୁରକ୍ଷା ମଧ୍ୟ ଫ୍ରାନ୍ସର ଲା ସେଣ୍ଟ ଜେଲ୍‌ ନିଆଯାଇଛି। ଜେଲ୍‌ ଯିବା ପୂର୍ବରୁ ୭୦ ବର୍ଷୀୟ ସରକୋଜି ନିଜ ପତ୍ନୀ କାର୍ଲା ବ୍ରୁନୀଙ୍କ ସହ ହାତ ଧରି ଘରୁ ବାହରିଥିଲେ। ଏହି ସମୟରେ ତାଙ୍କ ସମର୍ଥକ ମାନେ ମଧ୍ୟ ଘର ବାହାରେ ଜମା ହୋଇଥିଲେ। ଏମିତିକି ସେମାନେ ନିକୋଲାସଙ୍କ ନାଁର ନାରା ମଧ୍ୟ ଦେବା ସହ ଫ୍ରାନ୍ସର ଜାତୀୟ ସଙ୍ଗୀତ ମଧ୍ୟ ଗାନ କରୁଥିଲେ। ସରକୋଜିଙ୍କ ପୁଅ, ଝିଅ ଏବଂ ନାତି-ନାତୁଣୀ ମଧ୍ୟ ତାଙ୍କୁ ବିଦାୟ ଜଣାଇବାକୁ ସେଠାରେ ଥିଲେ।

ତେବେ ଜେଲ୍ ଯାଉଥିବାବେଳେ ସରକୋଜି ସୋସିଆଲ ମିଡିଆରେ ଏକ ବୟାନ ଦେଇଛନ୍ତି। ‘‘ସେ କହିଛନ୍ତି, ‘‘ ମୁଁ ସବୁବେଳେ ଏହି ନ୍ୟାୟିକ ଘୋଟାଲକୁ ନିନ୍ଦା କରୁଥିବି। ଫ୍ରାନ୍ସର ସବୁ ମହିଳା ଏବଂ ପୁରୁଷଙ୍କ ସହ ମୋର ବିଚାର ରହିଥିବ। ମୁଁ ମୋର ଅତୁଟ ଶକ୍ତି ସହ ସେମାନଙ୍କୁ କହିବାକୁ ଚାହୁଛି ଯେ, ଆଜି ସକାଳେ କୌଣସି ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ପଠାଯାଇନାହିଁ- ବରଂ ଜଣେ ନିର୍ଦ୍ଦୋଷ ବ୍ୟକ୍ତିକୁ।’’

ଏହି ମାମଲାର ଶୁଣାଣି ସମୟରେ ପ୍ୟାରିସର ଜଣେ ବିଚାରପତି ରାୟ ଶୁଣାଇ କହିଥିଲେ, ସରକୋଜି ନିଜ ଅପିଲର ଶୁଣାଣି ପାଇଁ ଅପେକ୍ଷା ନକରି ଜେଲ୍‌ ଦଣ୍ଡ କାଟିବା ଆରମ୍ଭ କରିଦେବା ଦରକାର। କାରଣ ତାଙ୍କ ଅପରାଧ ଯୋଗୁ ସାର୍ବଜନିକ ବ୍ୟବସ୍ଥାରେ ଗୁରୁତର ବାଧା ଉତ୍ପନ୍ନ ହୋଇଥିଲା।’’ ସେ ଆହୁରି କହିଛନ୍ତି ତାଙ୍କୁ ଏହି ସଜା ଏକ ଦସ୍ତାବିଜ ଆଧାରରେ ଲମ୍ବା ଯାଞ୍ଚ ପରେ ମିଳିଛି। ଯାହା ମିଥ୍ୟା ବୋଲି ଏବେ ପ୍ରମାଣିତ ହୋଇସାରିଛି।’’

ତେବେ ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ, ସରକୋଜୀ ଜେଲ୍‌ ଯିବା ପରେ ହିଁ ଅପିଲ କୋର୍ଟରେ ନିଜର ମୁକ୍ତି ପାଇଁ ଅନୁରୋଧ କରିପାରିବେ। ତଥା ବିଚାରପତିଙ୍କୁ ଏହି ଅନୁରୋଧର ସମୀକ୍ଷା ପାଇଁ ଦୁଇ ମାସର ସମୟ ଦିଆଯିବ। ସେପଟେ ସରକୋଜୀଙ୍କ ଓକିଲ କହିଛନ୍ତି ଏଥିପାଇଁ ଖୁବ୍ ଶୀଘ୍ର ଆବେଦନ କରାଯିବ।

ସରକୋଜିଙ୍କୁ ସେଣ୍ଟ୍ରାଲ ପ୍ୟାରିସର ଲା ସାଣ୍ଟେ ଜେଲର ଆଇସୋଲେସନ ୟୁନିଟରେ ରଖାଯାଇପାରେ, ଯେଉଁଠାରେ କଏଦୀମାନଙ୍କୁ ସୁରକ୍ଷା ଦୃଷ୍ଟି ଏକୁଟିଆ କୋଠରୀରେ ରଖାଯାଇଥାଏ ଯାହା ବାହାର ଦୁନିଆଠାରୁ ପୂରା ବିଚ୍ଛିନ୍ନ। ଏହି ବ୍ୟବସ୍ଥାର ଲକ୍ଷ୍ୟ ଅନ୍ୟ କଏଦୀଙ୍କ ସହ ସମ୍ପର୍କ କିମ୍ବା ଚୋରା ମୋବାଇଲ୍ର ବ୍ୟବହାର ଭଳି କୌଣସି ସମ୍ଭାବନାକୁ ଏଡ଼ାଇବା। ଏହି ୟୁନିଟରେ ଥିବା କୋଠରୀଗୁଡ଼ିକ ପ୍ରାୟ ୯ରୁ ୧୨ ବର୍ଗ ମିଟର (୯୫ ରୁ ୧୩୦ ବର୍ଗଫୁଟ) ପରିମିତ। ଏକାନ୍ତ କାରାଗାରରେ ଥିବା କଏଦୀମାନଙ୍କୁ ପ୍ରତିଦିନ ଗୋଟିଏ ଛୋଟ ଅଗଣାରେ ଏକା ଚାଲିବାକୁ ଅନୁମତି ଦିଆଯାଏ ଏବଂ ସେମାନେ ସପ୍ତାହରେ ତିନିଥର ପରିଜନଙ୍କୁ ଭେଟିପାରିବେ।

ନବୀକରଣ ପରେ, ଲା ସାଣ୍ଟେରେ ଥିବା ସେଲ୍‌ଗୁଡ଼ିକରେ ଏବେ ବ୍ୟକ୍ତିଗତ ସାୱାର ଲଗାଯାଇଛି। ସରକୋଜିଙ୍କୁ ମାସିକ ୧୪ ୟୁରୋ ବା ୧୬ ଡଲାର ଦେୟରେ ଏକ ଟେଲିଭିଜନ ଏବଂ ଏକ ଲ୍ୟାଣ୍ଡଲାଇନ୍ ଟେଲିଫୋନ୍ ମଧ୍ୟ ଉପଲବ୍ଧ କରାଯିବ।