LIVE TV

ଶୋଇଥିବା ବେଳେ ଲୁହା ରଡ୍‌ରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

NEWS7
Baripada

ବାରିପଦା ୨୧।୯: ଲୁହା ରଡ୍‌ରେ ପିଟି ପିଟି ସ୍ତ୍ରୀକୁ ହତ୍ୟାକଲା ନିଶାଗ୍ରସ୍ତ ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ପଞ୍ଚାୟତ ଅଧୀନ ସଂସା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ଜଣକ ହେଉଛନ୍ତି ଗଣେଶ ମହାନ୍ତଙ୍କ ସ୍ତ୍ରୀ l ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଛି ।

ମୃତା ମହିଳାଙ୍କ ବାପା ଅରୁଣ ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଜ୍ୱାଇଁ ଗଣେଶର ଘର ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଉପକଣ୍ଠ ବିଜିପୁର ଗ୍ରାମରେ l ତାଙ୍କ ଝିଅକୁ ବିବାହ କରି ଗଣେଶ ଦୀର୍ଘ ୨୫ ବର୍ଷ ହେବ ଘରଜ୍ୱାଇଁ ଭାବେ ସଂସା ଗାଁରେ ରହିଆସୁଥିଲା l ଘଟଣା ଦିନ ଅର୍ଥାତ ରବିବାର ଅପରାହ୍ନ ଦେଢ଼ଟା ପାଖାପାଖି ମହିଳା ଜଣଙ୍କ ଜଙ୍ଗଲରୁ ପତ୍ର ଏବଂ ଶୁଖିଲା ଜାଳେଣୀ କାଠ ସଂଗ୍ରହକରି ଘରକୁ ଫେରିଥିଲା l ଦୀର୍ଘ ଘଣ୍ଟା ପରେ ଜଙ୍ଗଲରୁ ଫେରି ଥକ୍କାରେ ସେ ପାଣି ପିଇ ଘର ବାହାରେ ଥିବା ଖଟରେ ଶୋଇ ବିଶ୍ରାମ ନେଉଥିଲେ l ସେହି ସମୟରେ ସ୍ୱାମୀ ପ୍ରଚୁର ମଦ୍ୟପାନ କରି ନିଶାଗ୍ରସ୍ତ ଥିବାବେଳେ ହାତରେ ଏକ ଲୁହା ରଡ୍ ଧରି ଆସିଥିଲେ । ଶୋଇଥିବା ସ୍ତ୍ରୀଙ୍କ ମୁଣ୍ଡକୁ ବାରମ୍ବାର ଛେଚି ଚାଲିଥିଲା l ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ସ୍ତ୍ରୀକୁ ହତ୍ୟା ପରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା ପାଇଁ ଜଙ୍ଗଲକୁ ଦୌଡୁଥିବା ଗଣେଶକୁ କାବୁକରି ଶ୍ୱଶୁର ଅରୁଣ ଏବଂ ଅନ୍ୟମାନେ ସିମେଣ୍ଟ ଖୁଣ୍ଟରେ ବାନ୍ଧିରଖି ପୋଲିସକୁ ଖବର ଦେଇଥିଲେ l ବେତନଟୀ ପୋଲିସ ଅଭିଯୁକ୍ତ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଆସିଲେ ତଦନ୍ତକୁ ବ୍ୟାପକ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l