News7 Logo

୩୨୪ ପଏଣ୍ଟ ବଢିଲା ସେନ୍‌ସେକ୍ସ, ନିବେଶକଙ୍କ ଲାଭ ୨.୬୪ ଲକ୍ଷ କୋଟି ଟଙ୍କା

NEWS7
share market

​​​​​​​ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ମଜଭୁତ କାରବାର ଦେଖିବାକୁ ମିଳିଛି । ନିଫ୍ଟି ଲଗାତାର ଷଷ୍ଠ ଦିନରେ ସବୁଜ ସଂକେତରେ ବନ୍ଦ ହୋଇଛି । ସେହିପରି ସେନ୍‌ସେକ୍ସ ଲଗାତାର ଚତୁର୍ଥ ଦିନରେ ବୃଦ୍ଧି ସହ ବନ୍ଦ ହୋଇଛି । ଆମେରିକା ଓ ଭାରତ ମଧ୍ୟରେ ଉତ୍ତେଜନା ହ୍ରାସ ଖବର ବଜାରରେ ଯୋଶ ଭରିଛି । ତେବେ ନିଫ୍ଟି ୨୫,୦୦୦ର ଗୁରୁତ୍ୱପୂର୍ଣ୍ଣ ସ୍ତରକୁ ପାର କରିବାରେ ବିଫଳ ହୋଇଛି । ଦିନ ଶେଷରେ ଅଟୋ ଓ ମିଡିଆ ସେୟାରରେ ଲାଭ ଅସୁଲ ବଜାରରେ ବୃଦ୍ଧିକୁ ସୀମିତ କରିଥିଲା ।

କାରବାର ଶେଷରେ ବିଏସଇ ସେନସେକ୍ସ ୩୨୩ ପଏଣ୍ଟ ବା ୦.୪୦% ବୃଦ୍ଧି ପାଇ ୮୧,୪୨୫.୧୫ ସ୍ତରରେ ବନ୍ଦ ହୋଇଛି । ନିଫ୍ଟି ୧୦୪.୫ ପଏଣ୍ଟ ବା ୦.୪୨% ବୃଦ୍ଧି ପାଇ ୨୪,୯୭୩.୧୦ରେ ବନ୍ଦ ହୋଇଛି । ମିଡ୍‌କ୍ୟାପ୍ ଏବଂ ସ୍ମଲ୍‌କ୍ୟାପ୍ ସୂଚକାଙ୍କ ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଛି । ଉଭୟ ସୂଚକାଙ୍କ ଲଗାତାର ତୃତୀୟ ଦିନ ପାଇଁ ସବୁଜ ରଙ୍ଗରେ ବନ୍ଦ ହୋଇଛି ।

ସେକ୍ଟୋରାଲ୍ ଇଣ୍ଡେକ୍ସରେ ନିଫ୍ଟି ଆଇଟି ସେୟାରରେ ସବୁଠୁ ଅଧିକ ୨.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ପିଏସୟୁ ବ୍ୟାଙ୍କ ଇଣ୍ଡେକ୍ସ ୨.୨ ପ୍ରତିଶତ ମଜଭୁତ ହୋଇଛି । ଅନ୍ୟପଟେ ରିୟଲ୍ଟି ସୂଚକାଙ୍କ ମଧ୍ୟ ୧% ବୃଦ୍ଧି ପାଇଛି । ଅଟୋ ସୂଚକାଙ୍କ ୧% ହ୍ରାସ ପାଇଥିବା ବେଳେ ମିଡିଆ ସେୟାରରେ ଚାପ ଦେଖିବାକୁ ମିଳିଥିଲା ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ସେପ୍ଟେମ୍ୱର ୧୦ରେ ବଢି ୪୫୬.୪୯ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ମଙ୍ଗଳବାର ଏହା ୪୫୩.୮୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୬୪ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୨.୬୪ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସକ୍ସର ୩୦ ମଧ୍ୟରୁ ୧୯ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଭାରତ ଇଲେକ୍ଟ୍ରୋନିକ୍ସର ସେୟାରରେ ସବୁଠୁ ଅଧିକ ୪.୨୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।