କଟକ: ଫ୍ଲାଟର ବାଲକୋନୀ ଭୁଶୁଡ଼ି ୩ ଜଣକ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶନିବାର ଅପରାହ୍ଣରେ ଘଟିଥିବା ଏହି ଦୁଃଖଦ ଘଟଣା ପାଇଁ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ରାଶିର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଥାଉକି, ଶନିବାର ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ କଟକ ମଣିସାହୁ ଛକ ନିକଟରେ ଏହି ଅଘଟଣ ଘଟିଥିଲା। ଏଠାରେ ଥିବା ଏକ ୪ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟର ବାଲକୋନୀ, ଆପର୍ଟମେଣ୍ଟ ସହ ସଂଲଗ୍ନ ଏକ ଆଜବେଷ୍ଟସ ଘର ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ଗୋଟିଏ ପରିବାରର ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୪ ଆହତ ହୋଇଛନ୍ତି।

ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ।  ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି  ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲା। ତେବେ ବାଲକୋନୀ ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।