LIVE TV

ୟଶ ରାଜ ଷ୍ଟୁଡିଓ ବୁଲିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାର୍ମର, ରାଣୀ ମୁଖାର୍ଜୀଙ୍କ ସହ ଦେଖିଲେ ଫିଲ୍ମ

NEWS7
yash

ନୂଆଦିଲ୍ଲୀ ୦୯।୧୦; ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର । ଏ ଅବସରରେ ସେ ମୁମ୍ବାଇ ସ୍ଥିତ ୟଶରାଜ ଫିଲ୍ମସ ଷ୍ଟୁଡିଓ ପରିଦର୍ଶନ କରିଛନ୍ତି । ବୁଧବାର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିନେତ୍ରୀ ରାନୀ ମୁଖାର୍ଜୀ ଷ୍ଟାର୍ମରଙ୍କୁ ଷ୍ଟୁଡିଓ ଭିତରକୁ ପାଛୋଟି ନେଇଥିଲେ । ରାନୀ ଓ ୟଶରାଜ ଫିଲ୍ମସ ସିଇଓ ଅକ୍ଷୟ ୱିଧାନିଙ୍କ ସହ ସେ ବାର୍ତ୍ତାଳାପ କରିଥିଲେ । ବ୍ରିଟିଶ ଓ ଭାରତୀୟ ସିନେମା ଉଦ୍ୟୋଗ ମଧ୍ୟରେ ସହଯୋଗିତାର ପ୍ରୋତ୍ସାହନ ଏବଂ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଷ୍ଟାର୍ମର୍‌ ଭାରତର ଅନ୍ୟତମ ସବୁଠୁ ବଡ଼ ଓ ସୁନାମଧନ୍ୟ ସିନେମା ଷ୍ଟୁଡିଓ ପରିଦର୍ଶନ କରିଛନ୍ତି ।

ଏହି ପ୍ରୟାସ ଦୁଇ ଦେଶ ମଧ୍ୟରେ ସୃଜନାତ୍ମକ ସହଭାଗିତାର ପ୍ରୋତ୍ସାହନ ଏବଂ ସମନ୍ୱିତ ଫିଲ୍ମ ପ୍ରୋଜେକ୍ଟ ଓ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଷ୍ଟାର୍ମର୍‌ ୟଶରାଜ ଫିଲ୍ମସ ଷ୍ଟୁଡିଓରେ ରାନୀଙ୍କ ସହ ସିନେମା ବିଷୟରେ ଆଲୋଚନା କରିବା ପରେ ଷ୍ଟୁଡିଓ ଅଡିଟୋରିୟମ୍‌ ଭିତରେ ଏକ ପ୍ରେଜେଣ୍ଟେସନ୍‌ ଦେଖିଥିଲେ । ୨୦୨୬ ପ୍ରାରମ୍ଭରେ ୟଶରାଜ ଫିଲ୍ମସ ବ୍ରିଟେନରେ ୩ଟି ପ୍ରମୁଖ ଫିଲ୍ମର ସୁଟିଂ କରିବ ବୋଲି ଷ୍ଟାର୍ମର୍‌ ଏ ଅବସରରେ ଘୋଷଣା କରିଥିଲେ । ଏହି ପ୍ରୟାସ ୩ ହଜାର ଚାକିରି ସୁଯୋଗ ପ୍ରଦାନ କରିବ ଏବଂ ବ୍ରିଟିଶ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ବ୍ରିଟିଶ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌, ବ୍ରିଟିଶ ଫିଲ୍ମ କମିଶନ, ପାଇନ୍‌ଉଡ୍‌ ଷ୍ଟୁଡିଓଜ୍‌, ଏଲ୍‌ଷ୍ଟ୍ରି ଷ୍ଟୁଡିଓଜ୍‌ ଓ ସିଭିକ୍‌ ଷ୍ଟୁଡିଓଜ୍‌ର ପ୍ରତିନିଧିଙ୍କ ସହ ଷ୍ଟାର୍ମର୍‌ ୟଶରାଜ ଷ୍ଟୁଡିଓ ଗସ୍ତ କରିଥିଲେ । ଆସନ୍ତା ୧୨ ତାରିଖ ୟଶରାଜ ଷ୍ଟୁଡିଓର ପରିଚାଳନାକୁ ୨୦ ବର୍ଷ ପୂରଣ ହେଉଥିବାରୁ ଷ୍ଟାର୍ମର୍‌ଙ୍କ ଗସ୍ତ ସ୍ମରଣୀୟ ମୁହୂର୍ତ୍ତ ହୋଇଛି ।