LIVE TV

ଭୁବନେଶ୍ବରରେ ନୂଆପଡ଼ାର ବିଜେପି ନେତା ପ୍ରସନ୍ନ ପାଢୀ, କହିଲେ- ମୁଁ ପ୍ରାର୍ଥୀ ପାଇଁ ଆଶା ରଖିଛି...

NEWS7
Prasanna Padhi

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି। ଶନିବାର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପିରେ ମିଶିଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। କୁହାଯାଉଛି ସେ ବିଜେପିରୁ ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି। ସେପଟେ ବିଜେପିରେ ଜୟ ଢୋଲକିଆଙ୍କ ଯୋଗଦାନକୁ ବିରୋଧ କରି ପ୍ରାୟ ୨ଶହରୁ ଅଧିକ ବିଜେପି ବୁଥ ଓ ମଣ୍ଡଳ ସଭାପତି ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ହୋଇଛି।

ଏହାରି ମଧ୍ୟରେ ନୂଆପଡ଼ାର ବିଜେପି ନେତା ଆଶାୟୀ ପ୍ରସନ୍ନ ପାଢୀ ଭୁବନେଶ୍ବରରେ ପହଞ୍ଚିଛନ୍ତି । କୁହାଯାଉଛି ସେ ନୂଆପଡ଼ାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତେବେ ଏହାକୁ ନେଇ ପ୍ରସନ୍ନ କହିଛନ୍ତି, ‘‘ମୁଁ ଖୁସିନଥିଲେ କ’ଣ ହେବ, ମୁଁ ପ୍ରାର୍ଥୀ ପାଇଁ ଆଶା ରଖିଛି। ଯେଉଁ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ ସେ ପର୍ଯ୍ୟନ୍ତ ମୁଁ ଆଶା ରଖିଛି। ମୋତେ ଟିକେଟ ମିଳିଲେ ଲଢେଇ କରିବି । ବସନ୍ତ ବାବୁଙ୍କ ମାନଭଞ୍ଜନ ପାଇଁ ଡକାଯାଇଥିଲା, ହେଲେ ମୋତେ କେହି ଭୁବନେଶ୍ବର ଡାକିନାହାନ୍ତି । ମୋ ବିବେକ କହିଲା ଆସିବା ପାଇଁ। ମୁଁ ଶୀର୍ଷ ନେତୃତ୍ବଙ୍କ ସହ କଥା ହେବି । ଅତୀତରେ ବିଜୁ ଜନତା ଦଳରେ ଥିଲି ୨୦୧୮ରେ ବିଜେପିକୁ ଆସିଲି ।’’

ସେହିଭଳି ବିଜେଡିକୁ ଯିବା ପ୍ରଶ୍ନରେ ସେ କହିଛନ୍ତି, ‘‘ମୋତେ ଏପର୍ଯ୍ୟନ୍ତ ଅଫର ଆସିନାହିଁ । ଜୟ ବିଜେପିରେ ମିଶିବା ପରେ କିଛି ଲୋକ ଭଲ କହୁଛନ୍ତି, କିଛି ଖରାପ କହୁଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଜୟ ଢୋଲକିଆଙ୍କୁ ବିଜେପିକୁ ନେବାକୁ ଶୀର୍ଷ ନେତୃତ୍ବ ଆଲୋଚନା ପର୍ଯ୍ୟାଲୋଚନା କରିଥାଇପାରନ୍ତି, ମୋତେ ସେ ବିଷୟରେ ଜଣାନାହିଁ। ଜୟ ଢୋଲକିଆ ମିଶିବା ପୂର୍ବରୁ ମୋ ସହ କେହି ଆଲୋଚନା କରିନାହାନ୍ତି । କଂଗ୍ରେସର ସ୍ଥିତି ସେଠାରେ ଭଲ ନାହିଁ । ଆଜି ବି ୩ ନମ୍ବର ଆଗକୁ ବି ୩ ନମ୍ବରରେ ରହିବେ। ଭକ୍ତ ଦାସ ଯେତେ ଆକଳନ କଲେ ବି କଂଗ୍ରେସ ଓଡ଼ିଶାରେ ପ୍ରତ୍ୟାଖ୍ୟାନ ହୋଇସାରିଛି।’’