ଉତ୍ତରପ୍ରଦେଶ ୦୮/୦୯: ବିଜେପି ସାଂସଦଙ୍କ ଭଉଣୀଙ୍କୁ ନିର୍ଯାତନା । ସୀମା ଟପିଗଲା ଶ୍ୱଶୁର ଘର ଲୋକଙ୍କ ବର୍ବରତା । ମାରପିଟ୍ ସହ ବିଚ୍ ରାସ୍ତାରେ ପିଟିଲେ । ଥାନାରେ ପହଞ୍ଚିଲା ମାମଲା । ଉତ୍ତରପ୍ରଦେଶ ଫାରୁଖାବାଦରେ ନଜର ଆସିଛି ଏପରି ଘଟଣା । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସାସଂଦ ମୁକେଶ ରାଜପୁତଙ୍କ ଭଉଣୀ ରୀନା ସିଂହ । ଅଭିଯୋଗ ଅନୁଯାୟୀ ରୀନାଙ୍କ ଦିଅର ରାଜେଶ ଓ ଶ୍ୱଶୁର ଲକ୍ଷ୍ମଣ ସିଂହ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି।

ସେତିକି ନୁହେଁ, ଶ୍ୱଶୁର ଓ ଦିଅର ମିଳିତ ଭାବେ ତାଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ଗାଳିଗୁଲଜ ଦେବା ସହ ବିଚ୍‌ ରାସ୍ତାରେ ବାଡି ଧରି ବାଡାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଆମର କିଛି ରେଷ୍ଟିକସନ ହେତୁ ଆମେ ଆପଣଙ୍କୁ ସେ ସବୁ ଭିଡିଓ ଦେଖାଇପାରିବୁନି । ତେବେ ରାଣୀ ଅବନ୍ତିବାଇ ନଗରର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ।  
ରୀନା ସିଂହଙ୍କ କହିବା କଥା କହିଛନ୍ତି ଯେ ରବିବାର ଦିନ ସେ ନିଜ ବାଥରୁମରେ ଗାଧୋଉଥିଲେ । ଠିକ୍ ଏତିକି ବେଳେ ତାଙ୍କ ଶ୍ୱଶୁର ଓ ଦିଅର ସେଠାକୁ ଆସି ଝରକା ପଟେ ତାଙ୍କର ଭିଡିଓ କରିବାକୁ ଚେଷ୍ଟା କରିଥିଲେ । ସଂଗେ ସଂଗେ ସେ ବାହାରକୁ ଆସି ଶ୍ୱଶୁର ଓ ଦିଅରଙ୍କ ଏପରି କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ । ତେବେ ଓଲଟା ସେମାନେ ଗାଳି ଦେବା ଆରମ୍ଭ କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଶ୍ୱଶୁର ବାଡିରେ ଧରି ବାଡେଇଥିଲେ । ଏମିତିକି ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ।

ରୀନା ସିଂହ ତାଙ୍କ ଦାବିରେ ଆଗେ କହିଛନ୍ତି ଯେ ଶ୍ବଶୁର ଲକ୍ଷ୍ମଣ ସିଂହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି କହିଥିଲେ ଯେ ତୁମକୁ ଗୁଳି ମାରି ଦେବି। ରୀନା ତାଙ୍କ ଦିଅର ଉପରେ ଅଭିଯୋଗ କରିଛନ୍ତି ଯେ ସେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଲୁହା ରଡ଼ରେ ବି ପିଟିଥିଲେ । ଯେଉଁଥିପାଇଁ ରୀନାଙ୍କ ହାତରେ ଆଘାତ ଲାଗିଥିଲା। ରୀନା ଆହୁରି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, “ମୋର ଦୁଇଟି ଝିଅ ଅଛନ୍ତି । ତେଣୁ ମୋ ଶ୍ବଶୁର ଘର ଲୋକ ମୋତେ ମାଡ ମାରୁଥିଲେ। ସେମାନେ ମୋତେ ବହୁତ ଦିନ ଧରି ନିର୍ଯାତନା ଦେଇ ଆସୁଛନ୍ତି।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଭାରତୀୟ ଜନତା ପାର୍ଟିର ସାଂସଦ ମୁକେଶ ରାଜପୁତଙ୍କ ଭଉଣୀ ତାଙ୍କ ଶ୍ବଶୁର ଘର ଉପରେ ମାରପିଟ କରାଯାଇଥିବାର ଅଭିଯୋଗ କରିଛନ୍ତି। ତାଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ଏଥି ସହ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ମାମଲାର ତଦନ୍ତ ଚାଲିଛି। ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।