News7 Logo

ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦଙ୍କୁ ବି.ସୁଦର୍ଶନ ରେଡ୍ଡୀଙ୍କ ଖାସ ନିବେଦନ, ଜାଣନ୍ତୁ ୧୨ ମିନିଟ୍ Videoରେ କହିଲେ କ’ଣ?

NEWS7
X video

ନୂଆଦିଲ୍ଲୀ ୭।୯: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀ ରବିବାର ସାଂସଦଙ୍କୁ ଖାସ ନିବେଦନ କରିଛନ୍ତି। ରେଡ୍ଡୀ ସାଂସଦଙ୍କୁ ଅପିଲ କରି କହିଛନ୍ତି ଯେ ସେମାନେ ପାର୍ଟି ନିଷ୍ଠାକୁ ସେମାନଙ୍କ ଚୟନର ଆଧାର ନ କରନ୍ତୁ ଓ ଏହି ପଦରେ ତାଙ୍କୁ ଜିତାଇ ରାଜ୍ୟସଭାକୁ ଗଣତନ୍ତ୍ରର ବାସ୍ତବ ମନ୍ଦିର ରୂପେ ସ୍ଥାପିତ କରିବା ସୁନିଶ୍ଚିତ କରନ୍ତୁ। ଭିଡିଓ ବାର୍ତ୍ତାରେ ରେଡ୍ଡୀ ସାଂସଦଙ୍କୁ କହିଛନ୍ତି ଯେ ସେ ନିଜ ଲାଗି ନୁହେଁ, ବରଂ ସେହି ମୂଲ୍ୟବୋଧ ନିମନ୍ତେ ଚାହୁଁଛନ୍ତି ଯେ ଆମେ ଏକ ସାର୍ବଭୌମ ଗଣରାଜ୍ୟ ରୂପେ ଯେପରି ପରିଭାଷିତ ହୁଏ।

ଏହି ନିର୍ବାଚନରେ କୌଣସି ପାର୍ଟି ହ୍ୱିପ୍ ନାହିଁ
ରେଡ୍ଡୀ ସଂସଦ ସଦସ୍ୟଙ୍କ ନିମନ୍ତେ ୧୨ ମିନିଟରୁ ଅଧିକ ସମୟର ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ‘ଏହି ନିର୍ବାଚନରେ କୌଣସି ପାର୍ଟି ହ୍ୱିପ ନାହିଁ ଓ ଗୋପନ ମତଦାନ ହେବ। ଏଥିରେ କୌଣସି ରାଜନୈତିକ ଦଳ ନିମନ୍ତେ ନିଷ୍ଠା ନୁହେଁ, ବରଂ ଦେଶପ୍ରତି ପ୍ରେମ ଆପଣଙ୍କ ନିର୍ବାଚନର ଆଧାର ହେବା ଆବଶ୍ୟକ। ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ଆମେ ଆମ ପ୍ରିୟ ଦେଶର ଅନ୍ତରାତ୍ମା ଓ ଆତ୍ମାର ରକ୍ଷା କରିବା’।

ଗଣତନ୍ତ୍ରର ମନ୍ଦିର ହୋଇ ରହୁ ରାଜ୍ୟସଭା
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କହିଛନ୍ତି ଯେ ‘ମୋତେ ଏହି ପଦ ପ୍ରଦାନ କରି ଆପଣ ସଂସଦୀୟ ପରମ୍ପରାର ରକ୍ଷା କରିବା, ବିତର୍କର ଗାରିମା ରକ୍ଷା କରିବା ଓ ଏହା ସୁନିଶ୍ଚିତ କରିବାକୁ ନିର୍ବାଚନ କରିବେ ଯେ ରାଜ୍ୟସଭା ଗଣତନ୍ତ୍ରର ବାସ୍ତବ ମନ୍ଦିର ହୋଇ ରହୁ’।

ଏହା ଭାରତର ଭାବନା ନିମନ୍ତେ ଭୋଟ
ସେ କହିଛନ୍ତି ଏହା କେବଳ ଭାରତର ଉପରାଷ୍ଟ୍ରପତି ବାଛିବାକୁ ଭୋଟ ନୁହେଁ, ଏହା ଭାରତର ଭାବନା ନିମନ୍ତେ ଭୋଟ। ରେଡ୍ଡୀ କହିଛନ୍ତି ‘ଆସନ୍ତୁ ଆମେ ସବୁ ମିଶି ଆମ ଗଣତନ୍ତ୍ରକୁ ମଜଭୁତ କରିବା ଓ ଏପରି ନିଦର୍ଶନ ସୃଷ୍ଟି କରିବା, ଯାହାକୁ ପାଇ ଆଗାମୀ ପିଢୀ ଗର୍ବିତ ଅନୁଭବ କରିବ’।

ସାସଂଦମାନଙ୍କ ଲାଗି ବାର୍ତ୍ତାରେ ରେଡ୍ଡୀ କହିଛନ୍ତି ଯେ ସେ ମହାନ ଗଣରାଜ୍ୟର ଉପରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ଭାବେ ବିନମ୍ରତା ଓ ଦାୟିତ୍ୱବାନର ଗଭୀର ଭାବନା ସହିତ ସେମାନଙ୍କ ସାମ୍ନାରେ ଛିଡା ହୋଇଛନ୍ତି। ସେ କହିଛନ୍ତି ଭାରତର ଗଣତନ୍ତ୍ର ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ସର୍ବୋଚ୍ଚ ବଳିଦାନ ଉପରେ ନିର୍ମିତ ହୋଇଛି ଓ ଦୀର୍ଘ ଦଶନ୍ଧୀ ଧରି ସେମାନଙ୍କ ଦୂରଦର୍ଶିତା ଦ୍ୱାରା ପୋଷିତ ହୋଇଛି। ରେଡ୍ଡୀ କହିଛନ୍ତି ଆଜି ଯେତେବେଳେ ଗଣତନ୍ତ୍ର ସଙ୍କୁଚିତ ହେଉଛି ଓ ନାଗରିକଙ୍କ ଅଧିକାର ଚାପରେ ରହିଛି ଏଥିରେ ଆମର ଗଣତାନ୍ତ୍ରିକ ଗଣରାଜ୍ୟର ଆତ୍ମାକୁ ରକ୍ଷା କରିବା ଆମର କର୍ତ୍ତବ୍ୟ। ସେ କହିଛନ୍ତି ଉପରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ ହେବା ମୋର କୌଣସି ବ୍ୟକ୍ତିଗତ ଆକାଙକ୍ଷା ନୁହେଁ, ବରଂ ଭାରତର ଗଣତାତନ୍ତ୍ରିକ ତାନାବାନାର ରକ୍ଷା ଓ ଏହାକୁ ମଜଭୁତ କରିବାର ଏକ ସାମୂହିକ ପ୍ରୟାସ ଅଟେ।