ପଟ୍ଟାଙ୍ଗି ୧୧: ଓଡ଼ିଶା-ଆନ୍ଧ୍ର ସୀମା ସାଲୁର ଘାଟିରେ ଗୁରୁବାର ସକାଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଜଳିଯାଇଥିଲା । ଉକ୍ତ ଘଟଣାର ତଦନ୍ତ ନିମନ୍ତେ ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡ଼ିଶାର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

​​​​​​​

ଘଟଣାସ୍ଥଳରେ ପରିବହନ ବିଭାଗ ଡେପୁଟି କମିଶନର, କୋରାପୁଟ ଏମଭିଆଇ, ଓଏସଆରଟିସି ଜୟପୁର ଡିପୋ ପରିଚାଳକ, ମ୍ୟାନେଜର(ଟେକ୍ନିକାଲ), ଅଶୋକ ଲେଲାଣ୍ଡ କମ୍ପାନୀର ବୈଷୟିକ ଟିମ୍ ଯାଞ୍ଚରେ ସାମିଲ ଥିଲେ । ସେହିଭଳି ଆନ୍ଧ୍ର ପ୍ରଦେଶ ପୋଲିସ, ପରିବହନ ଓ ଅଗ୍ନିଶମ ବିଭାଗ ଅଧିକାରୀ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍ ଡ୍ରାଇଭରଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିବା ସହ ବିସ୍ତୃତ ବିବରଣୀ ନେଇଥିଲେ । କେଉଁ କାରଣରୁ ବସ୍ ଜଳିଗଲା, ବସ୍‌ର ଫିଟନେସ୍ କେବେ ହୋଇଥିଲା ଓ ଅବଧି କେବେ ପର୍ଯ୍ୟନ୍ତ ଥିଲା ଏବଂ ବସ୍ ବାହାରିବା ସମୟରେ କିମ୍ଵା ନିଆଁ ଲାଗିବା ପୁପୂର୍ବରୁ କୌଣସି ସମସ୍ୟା ଦେଖା ଦେଇଥିଲା କି, ସେସବୁ ବିଷୟରେ ତଦନ୍ତକାରୀ ଟିମ୍ ତର୍ଜମା କରିଥିବା ନେଇ ସୂଚନା ମିଳିଛି ।