LIVE TV

ଆଇସିସି ଟି-୨୦ ମାନ୍ୟତା, ବ୍ୟାଟିଂରେ ୯୦୦ ପଏଣ୍ଟ ଅତିକ୍ରମ କଲେ ଅଭିଷେକ

NEWS7
Abhisekh Sharma

ଦୁବାଇ ୨୫/୦୯: ଆଇସିସି ପ୍ରକାଶ କରିଛି ଚଳିତ ସପ୍ତାହର ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା । ଭାରତର ଅଭିଷେକ ଶର୍ମା ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ତାଙ୍କ ରେଟିଂ ପଏଣ୍ଟ ୯୦୦ ଅତିକ୍ରମ କରିଛି । ସେ ମୋଟ୍‌ ୯୦୭ ପଏଣ୍ଟ ହାସଲ କରିଛନ୍ତି । ଅନ୍ୟ ଭରତୀୟଙ୍କ ମଧ୍ୟରେ ତିଳକ ବର୍ମା ତୃତୀୟକୁ ଉଠିଥିବାବେଳେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଇଂଲଣ୍ଡର ଫିଲ ସଲ୍ଟ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଜୋସ ବଟଲର ଚତୁର୍ଥକୁ ଖସିଥିବାବେଳେ ଟ୍ରେଭିସ୍‌ ହେଡ୍‌ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି । ଶ୍ରେଷ୍ଠ ୧୦ ମଧ୍ୟରେ ପଥୁମ ନିଶଙ୍କା ସପ୍ତମ, ଟିମ ସାଇଫର୍ଟ ଅଷ୍ଟମ, ଟିମ ଡେଭିଡ୍‌ ନବମ ଓ ଡିୱାଲ୍ଡ ବ୍ରେଭିସ୍‌ ଦଶମ ସ୍ଥାନ ଦଖଲ କରିଛନ୍ତି । ବୋଲିଂ ମାନ୍ୟତାରେ ଭାରତର ବରୁଣ ଚକ୍ରବର୍ତ୍ତୀ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ମାତ୍ର ପାକିସ୍ତାନର ଅବରାର ଅହମ୍ମଦଙ୍କ ମାନ୍ୟତାରେ ୧୨ଟି ସ୍ଥାନ ଉନ୍ନତି ହୋଇଛି । ସେ ଚତୁର୍ଥ ସ୍ଥାନ ଦଖଲ କରିଛନ୍ତି ।

ୱାନିଣ୍ଡୁ ହସରଙ୍ଗା ସପ୍ତମ ଓ ବାଂଲାଦେଶର ମୁସ୍ତାଫିଜୁର ରେହମାନ ନବମକୁ ଉଠିଛନ୍ତି । ମୁସ୍ତାଫିଜୁରଙ୍କ ମାନ୍ୟତାରେ ୬ଟି ସ୍ଥାନ ଉନ୍ନତି ହୋଇଛି । ଅଲରାଉଣ୍ଡର ମାନ୍ୟତା ତାଲିକାରେ ସେଭଳି ବଡ଼ ପରିବର୍ତ୍ତନ ହୋଇ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଶ୍ରେଷ୍ଠ ୧୦ରେ ଅନ୍ୟ କୌଣସି ଭାରତୀୟ ନାହାନ୍ତି । କେବଳ ଅକ୍ଷର ପଟେଲ ଏକାଦଶ ସ୍ଥାନରେ ରହିଛନ୍ତି ।