LIVE TV

ଭସାଣ ଉତ୍ସବର ଏକ ଭିନ୍ନ ପରମ୍ପରା, ନଦୀରେ ଚାପ ଖେଳି ବିଦାୟ ନିଅନ୍ତି ମାଆ

NEWS7
bhasani

ପଟ୍ଟାମୁଣ୍ଡାଇ ୦୩/୧୦: ସରିଛି ପୂଜା, ଏବେ ମେଲାଣି ନେବାର ସମୟ । ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତଜନନୀ । ସାରା ରାଜ୍ୟରେ ଚାଲିଛି ଭସାଣ ଉତ୍ସବ । ତେବେ କେନ୍ଦ୍ରାପଡାର ରାଜନଗରରେ ଭସାଣ ଉତ୍ସବର ଏକ ଭିନ୍ନ ପରମ୍ପରା ରହିଛି । ନଦୀ ମଝିରେ ଚାପ ଖେଳି ବିଦାୟ ନେଇଥାନ୍ତି ମହାମାୟା । ଏହି ବିସର୍ଜନକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିଥାଏ ।

ପୂଜା ମଣ୍ଡପର କର୍ମକର୍ତ୍ତାମାନେ ମା’ଙ୍କ ମେଲାଣି ଉତ୍ସବକୁ ବେଶ ଧୁମଧାମରରେ ନାଚ ଗୀତ ସହ ଭକ୍ତି ଭାବରେ ଶୋଭାଯାତ୍ରାରେ ମେଢ଼ ଗୁଡିକ ନିଆଯାଇ ନଦୀରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ବିସର୍ଜନ କରାଯାଇଥାଏ । ଏଠାରେ ରାଜା ରାଜୁଡା ସମୟରୁ ପ୍ରଚଳିତ ପରମ୍ପରାକୁ ସମ୍ମାନ ଜଣାଇ ବିଜୟା ଦଶମୀ ପର ଦିନ ଭିନ୍ନ ଓ ନିଆରା ଢଙ୍ଗରେ ଦୁର୍ଗତୀନାଶିନୀଙ୍କର ବିସର୍ଜନ କରାଯାଇଥାଏ । ରାଜନଗର ହଁସୁଆ ନଦୀ ମଧ୍ୟରେ ଡଙ୍ଗାରେ ଚାପ ଖେଳି ପ୍ରସିଦ୍ଧ ଭସାଣି ଅନୁଷ୍ଠିତ ହୋଇଥାଏ ।

ରାଜନଗର ବଜାରରେ ପ୍ରତ୍ୟେକ ବର୍ଷ ୧୭ଟି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ୧୭ଟି ମେଢ଼ରୁ ୪ଟି ମେଢ଼କୁ ହଂସୁଆ ନଦୀରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଚାପ ଡଙ୍ଗାରେ ବିଜେ କରି ନୌକା ବିହାର କରାଇ ବିସର୍ଜନ କରାଇଥିଲେ । ଏପରି ଏକ ନିଆରା ଭସାଣି ଦୀର୍ଘ ୨୦୦ ବର୍ଷ ପୁରୁଣା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା । ତତ୍କାଳୀନ କନିକା ରାଜା ଭୁଜବଳ ଭଞ୍ଜଦେଓଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ମେଲଣକୁ ସ୍ଥାନୀୟ ଲୋକେ କନିକା ରାଜା ଓ ରାଜ ପରିବାରକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଜାୟ ରଖିଛନ୍ତି ।

ପ୍ରଜା ଓ ଅଞ୍ଚଳକୁ ବ୍ୟାପିଥିବା ମହାମାରୀ ଓ ପାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା । ରାଜାଙ୍କ ରାଜତ୍ୱ ସମୟରେ ରାଜନଗରରେ ଗମନାଗମନର ସୁବିଧା ସ୍ଥଳ ପଥରେ ନଥିବାରୁ କନିକା ରାଜା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ହଂସୁଆ ନଦୀରେ ଡଙ୍ଗାରେ ୭ ଥର ନାଵକେଳି କରି ହଂସୁଆ ନଦୀରେ ମାଙ୍କୁ ବିସର୍ଜନ କରୁଥିଲେ ।

ଯଦିଓ ରାଜା ରାଜୁଡା ଅମଳ ଆଉ ନାହିଁ ତଥାପି ସ୍ଥାନୀୟ ଲୋକେ ରାଜାଙ୍କ ଦ୍ଵାରା ପ୍ରଚଳିତ ପରମ୍ପରା ଓ ଐତିହ୍ୟକୁ ସମ୍ମାନ ଜଣାଇ ଏହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଚଳିତବର୍ଷ ଲୋକଙ୍କ ସୁରକ୍ଷାକୁ ଆଖିଆଗରେ ରହି କେବଳ ମାଆଙ୍କ ପ୍ରତିମା ସହ କିଛି ସଂଖ୍ୟକ ପୂଜାକମିଟି ସଦସ୍ୟଙ୍କୁ ନୌକାରେ ଆୟୋଜିତ ଏହି ଚାପ ଖେଳ ସହ ଭସାଣି ଶୋଭାଯାତ୍ରାରେ ସାମିଲ ହେବା ଲାଗି ଅନୁମତି ଦେବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଉଛି l