ନୂଆଦିଲ୍ଲୀ ୦୨।୧୦; ଦେଶରେ ନବରାତ୍ରି ପାଇଁ ସବୁଠି ଭିଡ ଦେଖିବାକୁ ମିଳିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଇତିମଧ୍ୟରେ ଦେଶରେ ପ୍ରଥମ ଥର ରାଜକୋଟରେ ନବରାତ୍ରିର ପୂର୍ବ ସନ୍ଧ୍ୟା ଅର୍ଥାତ୍ ଆଜି ସନ୍ଧ୍ୟାରେ କର୍କଟ ରୋଗୀଙ୍କ ପାଇଁ ଦିନିକିଆ ଗରବା ଆୟୋଜିତ ହେବ । କ୍ୟାନ୍ସର କେୟାର ଫାଉଣ୍ଡେସନ୍ର ଏହି କାର୍ଯ୍ୟକ୍ରମରେ ଗୁଜରାଟରୁ ୩୦୦୦ରୁ ଅଧିକ କର୍କଟ ଯୋଦ୍ଧା, ସେମାନଙ୍କ ପରିଜନ, ୨୫୦ରୁ ଅଧିକ କର୍କଟ ବିଶେଷଜ୍ଞଙ୍କ ସମେତ ୯ ହଜାର ଲୋକ ଯୋଗ ଦେବେ । ଏଥିସହ ସ୍କୁଲ-କଲେଜର ୭୦୦ରୁ ଅଧିକ ଗରିବ ଝିଅ ମଧ୍ୟ ଯୋଗ ଦେଇ ଗରବା ନୃତ୍ୟ କରିବେ ।
ଏ ସମସ୍ତ ଝିଅଙ୍କୁ ଗ୍ରୀବା ଫାଉଣ୍ଡେସନ୍ ତରଫରୁ କର୍କଟରୋଧୀ ଟିକା (ଏଚ୍ପିଭି) ଓ ମାମୋଗ୍ରାଫି ଟେଷ୍ଟ୍ ଲାଗି ଗିଫ୍ଟ ଭାଉଚର ଦିଆଯିବ । ନବରାତ୍ରିର ଏହି ଆୟୋଜନ ନିଃଶୁଳ୍କ । ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ରାଜକୋଟର ନୂଆ ରିଙ୍ଗ୍ ରୋଡ୍ ସ୍ଥିତ କ୍ଲବ୍ ୟୁଭି ନବରାତ୍ରି ପଡ଼ିଆରେ ଏହା ଅନୁଷ୍ଠିତ ହେବ । କ୍ୟାନ୍ସର କେୟାର ଫାଉଣ୍ଡେସନ୍ର ଜ୍ୟୋତିବେନ ଶାସ୍ତ୍ରୀ କହିଛନ୍ତି, କର୍କଟ ଯୋଦ୍ଧାଙ୍କ ପାଇଁ ଆୟୋଜିତ ଏହି ଉତ୍ସବରେ ପୂରା ରାଜ୍ୟର କର୍କଟ ପୀଡ଼ିତ ଓ ଏଥିରୁ ମୁକ୍ତ ହୋଇଥିବା ଲୋକେ ନିଜର ଦୁଃଖ-କଷ୍ଟ ଭୁଲି ଗରବା ଖେଳିବେ । ରୋଗୀଙ୍କ ପ୍ରେରଣା ଲାଗି ମାର୍ଗଦର୍ଶନ, ଔଷଧ ଓ ଅନ୍ୟ ସୂଚନା ଦିଆଯିବ । ପ୍ରାୟ ୨୦୦ ବର୍ଷ ତଳେ ପାରମ୍ପରିକ ଗରବା ଖେଳୁଥିବା ଯୁବତୀମାନେ ଦେବୀ କବଚ ପାଠ କରୁଥିଲେ ।
ଏହି କାର୍ଯ୍ୟକ୍ରମରେ ମଧ୍ୟ ୧୦୮ ଝିଅ କର୍କଟ ରୋଗୀଙ୍କ ଭିତରେ ନୂଆ ଶକ୍ତି ଓ ଉର୍ଜ୍ଜା ଭରିବା ଲାଗି ଦେବୀ କବଚ ପାଠ କରିବେ । ଏଥିପାଇଁ ସେମାନେ ନିୟମିତ ତାଲିମ ନେଉଛନ୍ତି । ସୂଚନାଯୋଗ୍ୟ, ନିକଟରେ ରାଜକୋଟରେ କର୍କଟ ରୋଗୀଙ୍କ ପାଇଁ ଏକ ଫ୍ୟାଶନ୍ ଶୋ’ ଆୟୋଜିତ ହୋଇଥିଲା । ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିଲା ।