ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଲଗା ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୫ ଥରର ଚାମ୍ପିଅନ୍ ଦଳକୁ ସମ୍ଭାବ୍ୟ ଟ୍ରେଡ୍ ପାଇଁ ପ୍ରସ୍ତାବ ମିଳିବା ମଧ୍ୟ ଆରମ୍ଭ ହୋଇଗଲାଣି । ପୂର୍ବରୁ ଶାହରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ରେଡ୍ ପ୍ରସ୍ତାବ ଆସିଥିବା ଖବର ମିଳିଥିଲା, କିନ୍ତୁ ବର୍ତ୍ତମାନ ସମୀକରଣ ବଦଳିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଏବେ ଗୋଟିଏ କି ଦୁଇଟି ନୁହେଁ, ବରଂ ୭ଟି ଦଳ ହାର୍ଦ୍ଦିକଙ୍କୁ ନିଜ ଦଳକୁ ଆଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । ସୂଚନାଯୋଗ୍ୟ ଯେ, ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗତ ତିନୋଟି ଆଇପିଏଲ୍ ସିଜନରେ ମୁମ୍ବାଇ ଯଥାକ୍ରମେ ୧୦ମ, ୩ୟ ଏବଂ ୯ମ ସ୍ଥାନରେ ରହିଥିଲା ।

ଟାଇମ୍ସ ଅଫ୍ ରିପୋର୍ଟର ଏକ ରିପୋର୍ଟ ଅନୁସାରେ, ଟ୍ରାନ୍ସଫର ୱିଣ୍ଡୋରେ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ୭ଟି ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, କେବଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ଦୁଇଟି ଦଳ ହିଁ ଏହି ଅଲରାଉଣ୍ଡରଙ୍କ ପାଇଁ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି ।

ଆଗ୍ରହ ଦେଖାଇଥିବା ଫ୍ରାଞ୍ଚାଇଜ୍ଗୁଡ଼ିକ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ରାଜସ୍ଥାନ ରୟାଲ୍ସ ମଧ୍ୟ ହାର୍ଦ୍ଦିକଙ୍କୁ ପାଇବା ପାଇଁ ଦୃଢ଼ ଦାବିଦାର ଉପସ୍ଥାପନ କରୁଛି । ଏକ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ବେଙ୍ଗାଲୁରୁରକୁ ଶିଫ୍ଟ ହୋଇଛନ୍ତି । ତାଙ୍କର ଉଦ୍ଦେଶ୍ୟ ହେଉଛି ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ନିଜ କ୍ୟାରିୟରର ବାକି ସମୟ ପାଇଁ ସ୍ଥାୟୀ ଟ୍ରେନିଂ ବେସ୍ ଭାବେ ବ୍ୟବହାର କରିବା ।

CSK ଏବଂ KKR ପ୍ରବଳ ଦାବିଦାର

ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ ହାର୍ଦ୍ଦିକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ସବୁଠାରୁ ଅଧିକ ଜୋର ଲଗାଇପାରନ୍ତି । ଦୁଇ ଦଳକୁ ଏଭଳି ଜଣେ ଅଧିନାୟକ ଆବଶ୍ୟକତା ରହିଛି ଯିଏ ଦଳକୁ ଆଗକୁ ନେଇପାରିବେ । ଏମଏସ୍ ଧୋନୀଙ୍କ ପରେ ହାର୍ଦ୍ଦିକ ଜଣେ ଲିଡର ଭାବରେ ସିଏସକେ ପାଇଁ ସଠିକ୍ ବିକଳ୍ପ ହୋଇପାରନ୍ତି । ଅନ୍ୟପଟେ କେକେଆରକୁ ମଧ୍ୟ ଏଭଳି ଜଣେ ଖେଳାଳି ଦରକାର ଯିଏ ଦଳକୁ ଆଇପିଏଲ୍ ଚାମ୍ପିଅନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇପାରିବେ ।