ବ୍ରହ୍ମପୁର ୧୦୧୦: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ୫୦ଜଣଙ୍କୁ ପଚରା ଉଚରା କରିଛି କିଏ କଣ ପାଇଁ କେତେବେଳେ ଆସିଥିଲେ ତାହାର ତଦନ୍ତ ଚାଲିଛି ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରିଛୁ । ସନ୍ଦେହରେ ୫ରୁ ୬ଜଣଙ୍କୁ ଆଣି ଅଧିକ ତଦନ୍ତ କରୁଛୁ । କ୍ଲିୟର ସୂଚନା ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ । ୬ଟି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି ।

ଘଟଣା ଦିନ ଅର୍ଥାତ କୁମାର ପୂର୍ଣ୍ଣିମା ରାତିରେ ପୀତବାସ ନିଜ କାମ ସାରି ନୂଆ ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲକୁ ଖାଇବା ସାମଗ୍ରୀ ଆଣିବାକୁ ଯାଇଥିଲେ ପୀତବାସ ହୋଟେଲରୁ ଖାଇବା ନେଇ ଘରକୁ ଯିବା ବେଳେ  ଦୁଇ ଜଣ ହେଲମେଟ୍‌ଧାରୀ ସୁପାରି କିଲର୍ ପୀତବାସଙ୍କୁ ଗୁଳି କରି ହତ୍ୟା କରିଥିଲେ । ‘ସିଡିଆର' ଓ 'ସିସିଟିଭି' ଫୁଟେଜ୍ ମଧ୍ୟ ପୋଲିସ ହାତରେ ଲାଗିଛି । ଏହା ହିଁ ପୋଲିସକୁ ସୁରାକ ଦେଇଛି । ବିଭିନ୍ନ ଲିଙ୍କ୍ ମିଳିଛି । ଏହି ଘଟଣାକୁ ଗୁରୁତ୍ବର ସହ ନେଇ ପୋଲିସ ସହରର ଅନ୍ୟତମ ପ୍ରବେଶପଥ ଫାଷ୍ଟ ଗେଟ୍ ଠାରୁ ଆରମ୍ଭ କରି ବଡ଼ ବଜାର ଥାନା, ବିଜୁ ପଟ୍ଟନାୟକ ପାର୍କ, ମାର୍କେଟର ମଧ୍ୟ ଭାଗରେ ଥିବା ପୀତବାସଙ୍କ ଚାମ୍ବର, ଗେଟ୍ ବଜାର, ଲୋଚାପଡା ରୋଡ଼ ସମେତ ସହରର ୬୦ରୁ ଅଧିକ ସିସିଟିଭି ଫୁଟେଜକୁ  ଯାଞ୍ଚ କରୁଛି ପୋଲିସ । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ପୋଲିସ ହାତରେ ଲାଗିଛି ପୀତବାସଙ୍କ ମୋବାଇଲ୍ କଲ୍ ଡିଟେଲ୍ସ ରିପୋର୍ଟ । କିଏ କେତେବେଳେ କଲ୍‌ କରିଥିଲେ ଏବଂ କେତେ ସମୟ ଧରି ବାର୍ତ୍ତାଳାପ କରିଥିଲେ, ତାର ବିସ୍ତୃତ ବିବରଣୀ ପୋଲିସ ହାତରେ ଲାଗିଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ପୋଲିସ । ତଦନ୍ତରେ ବ୍ୟାହତ ହେବ, ଏହି ଦୃଷ୍ଟି କୋଣରୁ ଅଧିକ କିଛି ତଥ୍ୟ ଦେଇ ହେବ ନାହିଁ । ତଥ୍ୟକୁ କିଛି ଗୁପ୍ତ ରଖାଯାଇଛି । ଖୁବ୍‌ଶୀଘ୍ର ପୋଲିସ ଅପରାଧୀଙ୍କୁ ଧରିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି ।

ଏସବୁ ଭିତରେ ପୀତବାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଏହି ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ରିପୋର୍ଟରେ କଣ ଉଲ୍ଲେଖ ରହିଛି ତାହା ଗୁପ୍ତ ରଖାଯାଇଛି । କେଉଁ ପିସ୍ତଲରୁ ଗୁଳି କରାଯାଇଛି ତାହାର ଯାଞ୍ଚ ପାଇଁ ଫୋରେନସିକ୍ ପଠାଯାଇଛି । ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି । ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ଘଟଣାସ୍ଥଳରେ ହିଁ ପୀତବାସଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏମ୍‌କେସିଜି ଏଫଏମଟି ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ସୁଦୀପା ଦାସ ।