ମାଲକାନଗିରି ୧୯୧୧: ଲାଲ୍ ସଂଗଠନକୁ ବଡ଼ ଝଟ୍‌କା । ଆନ୍ଧ୍ରପ୍ରଦେଶ ପୋଲିସ କବ୍‌ଜାରେ ୫୦ ମାଓବାଦୀ । ଜାଗରଗୁଣ୍ଡା ଏବଂ କେରଳାପାଲ ଏରିଆ କମିଟିର ୫୦ ମାଓବାଦୀଙ୍କୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଗିରଫଙ୍କ ମଧ୍ୟରେ ୩ ଜଣ ଟପ୍ ମାଓ ନେତା ମଧ୍ୟ ସାମିଲ ଅଛନ୍ତି । ଜାଗରଗୁଣ୍ଡା ଏରିଆ କମିଟିର ମୁଖ୍ୟ ତଥା ନକ୍ସଲ କମାଣ୍ଡର ଲଖମା ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛି ।​​​​​​

ସେହିଭଳି ବର୍ଷ ବର୍ଷ ଧରି ନକ୍ସଲ ସଂଗଠନରେ ସକ୍ରିୟ ଥିବା ମାଓବାଦୀ ମଦନା ଓରଫ ଜଗୁ ଦାଦା ଓ ଏରିଆ କମାଣ୍ଡର ସୋଡି ମାନିଲାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଆନ୍ଧ୍ରପ୍ରଦେଶ ପୋଲିସ ଦ୍ବାରା ୩ ଜଣ ଜୋନାଲ କମିଟି ମେମ୍ବରଙ୍କ ସମେତ ୫୦ଜଣ ମାଓବାଦୀ ଗିରଫ ହେବା ପରେ ମାଓ ସଂଗଠନକୁ ବଡ଼ କ୍ଷତି ପହଞ୍ଚିଛି । ଏହା ଆନ୍ଧ୍ର ପୋଲିସ ପାଇଁ ଏକ ବଡ଼ ସଫଳତା କୁହାଯାଉଥିବା ବେଳେ ନକ୍ସଲ ସଂଗଠନ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି ।

​​​​​​​​​​​​​​

ଗତ ଦୁଇ ଦିନରେ ନକ୍ସଲ ସଂଗଠନ ସବୁଠାରୁ ବଡ଼ କ୍ଷତି ସହିଛି । ମଙ୍ଗଳବାର ଦେଶର ଟପ୍ ମାଓନେତା ମାଡ୍‌ଭି ହିଡମା ନିହତ ହେବା ପରେ ଛତିଶଗଡ଼ରେ ଶେଷ ହେବ ଦୀର୍ଘ ଛଅ ଦଶନ୍ଧିର ନକ୍ସଲବାଦ । ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର ପୋଲିସ । ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ହିଡମାର ମୁଣ୍ଡ ଉପରେ ଛତିଶଗଡ଼ ସରକାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହିଡମାଙ୍କୁ ଦୀର୍ଘ ବର୍ଷ ଧରି ଖୋଜୁଥିଲା ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ ଭଳି ଚାରି ରାଜ୍ୟର ପୋଲିସ । ମେରଡମାଲ୍ଲୀ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ୩୧ ଜଣ ଖସି ପଳାଇଥିବା ଆନ୍ଧ୍ରପ୍ରଦେଶ ADG ସୂଚନା ଦେଇଛନ୍ତି । ତେବେ ହିଡମାଙ୍କ ୩୧ ସହଯୋଗୀ ଆନ୍ଧ୍ର ପ୍ରଦେଶରେ ବିଜୟଓ୍ୱାଡ଼ା ସହରରେ ଲୁଚି ରହିଥିବା ବେଳେ ଗ୍ରେହାଉଣ୍ଡ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।