ହରିୟାଣାରେ ବିଜେପି ସରକାର ଉପରେ ସଂକଟ, ୩ ନିର୍ଦଳୀୟ ବିଧାୟକ ପ୍ରତ୍ୟାହାର କଲେ ସମର୍ଥନ

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ହରିୟାଣାରେ କ୍ଷମତାସୀନ ବିଜେପିକୁ ବଡ଼ ଝଟକା ଲାଗିଛି । ତିନି ନିର୍ଦଳୀୟ ବିଧାୟକ ମଙ୍ଗଳବାର ନାୟବ ସିଂ ସାଇନିଙ୍କ ସରକାରଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରିଥିବା ଘୋଷଣା କରିଛନ୍ତି । ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର କହିଛନ୍ତି ଯେ ଚଳିତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରୋହତକରେ ସାମ୍ୱାଦିକ ସମ୍ମିଳିନୀରେ ତିନି ନିର୍ଦଳୀୟ ବିଧାୟକ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଏବଂ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି । ଗୋନ୍ଦର କହିଛନ୍ତି, ଆମେ ସରକାରଙ୍କଠାରୁ ନିଜ ସମର୍ଥନ ଫେରାଇ ନେଇଛୁ ଏବଂ କଂଗ୍ରେସକୁ ନିଜ ସମର୍ଥନ ଦେଉଛୁ । ସେ କହିଛନ୍ତି ଯେ ଚାଷୀଙ୍କ ସମେତ ଅନେକ ପ୍ରସଙ୍ଗକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ନିର୍ଦଳୀୟ ବିଧାୟକଙ୍କ ଦ୍ୱାରା ସମର୍ଥନ ଫେରାଇ ନିଆଯିବା ପରେ ହରିୟାଣାରେ ବହୁମତର ଗଣିତ ବିଗିଡି ଯାଇଛି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ମ୍ୟାଜିକ୍ ନମ୍ୱର ୪୫ । ବିଜେପି ପାଖରେ ୪୧ ବିଧାୟକ ଏବଂ ୬ ବିଧାୟକଙ୍କ ସମର୍ଥନ ରହିଛି । ଏଥିରୁ ଏବେ ତିନି ଜଣ ନିଜ ସମର୍ଥନ ଫେରାଇ ନେଇଛନ୍ତି । ଏବେ ଦେଖିବାକୁ ଗଲେ ହରିୟାଣାର ସାଇନି ସରକାରଙ୍କ ପାଖରେ ବର୍ତ୍ତମାନ ସମୟରେ ୪୪ ବିଧାୟକ ଅଛନ୍ତି । ଏହାରି ଭିତରେ ଖବର ଏହା ମଧ୍ୟ ଆସୁଛି ଯେ ହରିୟାଣାରେ ଅତୀତରେ ବିଜେପିର ସହଯୋଗୀ ଥିବା ଜେଜେପିର ୧୦ରୁ ୭ ଜଣ ବିଧାୟକ ନିଜ ପାର୍ଟିରେ ଅସନ୍ତୁଷ୍ଟ ଅଛନ୍ତି । ବିଧାନସଭାରେ ଭୋଟିଂ ସ୍ଥିତିରେ ଏହି ୭ ବିଧାୟକ କ୍ରସ ଭୋଟ୍ କରି ବିଜେପିକୁ ସମର୍ଥନ ଦେଇପାରନ୍ତି କିମ୍ୱା ଭୋଟିଂ ବେଳେ ଉପସ୍ଥିତ ନ ରହି ବିଜେପି ପାଇଁ ବିଶ୍ୱାସମତ ହାସଲ କରିବାରେ ସହଯୋଗ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.