ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସନ୍ତାକାଲି ସକାଳେ ପୁରୀରେ ପହଞ୍ଚିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୁରୀ ବଡ଼ଦାଣ୍ଡରେ ଏକ ବିଶାଳ ରୋଡ ସୋ କରିବେ। ବିଜେପିର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଭୋଟରଙ୍କୁ ରୋଡ ସୋ ମାଧ୍ୟମରେ ଅପିଲ୍ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରିଛନ୍ତି।
ପୁରୀ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କରିବେ ଭବ୍ୟ ରୋଡ଼ ସୋ। ଆଗାମୀ ନିର୍ବାଚନରେ ବିଜେପିର ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ରୋଡ଼ ସୋ ମାଧ୍ୟମରେ ଭୋଟର ମାନଙ୍କୁ ଅନୁରୋଧ କରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୬ଟା ୩୦ ରୁ ୭ଟା ମଧ୍ୟରେ ଭୁବନେଶ୍ୱରରୁ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ପହଞ୍ଚିବେ। ସକାଳ ୭ଟା ରୁ ୭ଟା ୩୦ ମଧ୍ୟରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ।
Also read: ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ : ସକାଳେ ଛାଡିଥିଲେ ଶଙ୍ଖ, ଏବେ ଧରିଲେ ପଦ୍ମ
ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆଶୀର୍ବାଦ ନେଇ ପୁରୀ ବଡ଼ଦାଣ୍ଡର ମରିଚିକୋଟ ଛକ ଠାରୁ ମେଡିକାଲ୍ ଛକ ଯାଏଁ ଏକ ବିଶାଳ ଭବ୍ୟ ରୋଡ଼ ସୋ ରେ ଯୋଗଦେବେ। ଭାରତର ଲୋକପ୍ରିୟ ତଥା ସାରା ବିଶ୍ବରେ ଭାରତର ଗୌରବକୁ ବଢାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ରୋଡ଼ ସୋ ରେ ପୁରୀ ବାସୀ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ଭୁପିନ୍ଦର ଯାଦବ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୭ଟା ରେ ଭୁବନେଶ୍ୱରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ଅବତରଣ କରିବେ। ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯିବେ ପ୍ରଧାନମନ୍ତ୍ରୀ।
ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ର ନିର୍ଦ୍ଦେଶ ଅନୁସାରେ ୩ ଏସପି, ୮ ଅତିରିକ୍ତ ଏସପି, ୨୨ ଡିଏସପି, ୪୨ ଇନ୍ସପେକ୍ଟର, ୧୦୯ ଏଏସଆଇ, ୨୦୨ କନଷ୍ଟେବଳ, ୨୫୦ ହୋମଗାର୍ଡ ଙ୍କ ସହ ମୋଟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ବରେ ରହିବେ। ଏଥିସହ ତାଳବଣିଆ ହେଲିପ୍ୟାଡ ଠାରୁ ଶ୍ରୀମନ୍ଦିର ଯାଏଁ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ରାସ୍ତା ଗୁଡିକରେ ଥିବା ଉଚ୍ଚ କୋଠାଘର ଛାତ ଉପରେ ପୋଲିସ ବାହିନୀ ମୁତୟନ ରହିବେ।