News7 Logo

ଦିଶା ପଟାନୀଙ୍କ ଘରକୁ ଗୁଳି ଚଳାଇଥିବା ଦୁଇ ସୁଟର୍ ପୋଲିସ ଏନ୍‌କାଉଣ୍ଟରରେ ମୃତ

NEWS7
disha

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପଟାନୀଙ୍କ ବରେଲି ସ୍ଥିତ ଘର ଉପରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ୟୁପି ଏସଟିଏଫର ନୋଏଡା ୟୁନିଟ୍, ହରିୟାଣା ଏସଟିଏଫ୍ ଏବଂ ଦିଲ୍ଲୀ ପୋଲିସ କ୍ରାଇମ୍ ବ୍ରାଞ୍ଚର ମିଳିତ ଟିମ୍ ଗାଜିଆବାଦର ଥାନା ଟେକ୍ନୋ ସିଟି ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି । ପୋଲିସର ସୂଚନା ଅନୁଯାୟୀ, ଏନକାଉଣ୍ଟର ସମୟରେ ଉଭୟ ସନ୍ଦିଗ୍ଧ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ପରେ ଚିକିତ୍ସା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ମୃତକମାନେ ହରିୟାଣା ରୋହତକର ବାସିନ୍ଦା ରବିନ୍ଦର ଏବଂ ସୋନିପତର ବାସିନ୍ଦା ଅରୁଣ ବୋଲି ଅଧିକାରୀ କହିଛନ୍ତି । ଦୁଇ କୁଖ୍ୟାତ ସୁଟର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ରୋହିତ୍ ଗୋଦାରା ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ଥିଲେ । ହରିୟାଣା ସ୍ପେଶାଲ୍ ଟାସ୍କ ଫୋର୍ସର ଜଣେ ବରିଷ୍ଠ ଅଧିକାରୀ ଏନ୍‌କାଉଣ୍ଟର ସମୟରେ ଗୁଳି ମାଡ଼ରେ ଉଭୟ ଅପରାଧୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଜଣେ ସ୍ପେଶାଲ୍ ସେଲର ଯବାନ ମଧ୍ୟ ମଧ୍ୟ ଆହତ ହୋଇଥିବା ସେ କହିଛନ୍ତି । ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲର ଜଣେ ଅଧିକାରୀ କହିଛନ୍ତି, "ବରେଲି ଗୁଳିକାଣ୍ଡ ଘଟଣାରେ ଉଭୟ ଅପରାଧୀଙ୍କ ସ୍ପଷ୍ଟ ଭୂମିକା ଥିଲା, ଯାହା ହାଇ-ପ୍ରୋଫାଇଲ୍ ବ୍ୟକ୍ତିମାନଙ୍କ ସୁରକ୍ଷା ଚିନ୍ତା ବଢାଇଥିଲା । ଏହି ଘଟଣା ଦାଦାବଟି ଆଦାୟ ସହିତ ଜଡିତ ବୋଲି ସନ୍ଦେହ କରାଯାଉଛି।"

ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି । ସେପ୍ଟେମ୍ବର ୧୨ ଭୋର ୩ଟା ୪୫ ସମୟରେ ଅଜ୍ଞାତ ଦୁର୍ବୃତ୍ତ ପଟାନୀଙ୍କ ବରେଲି ବାସଭବନ ବାହାରେ ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ । ଦିଶା ପଟାନୀଙ୍କ ଘର ଉପରକୁ ପ୍ରାୟ ନଅ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପ୍ରେମାନନ୍ଦ ମହାରାଜ ଏବଂ ଅନିରୁଦ୍ଧାଚାର୍ଯ୍ୟଙ୍କ ବିଷୟରେ ଅଭିନେତ୍ରୀଙ୍କ ଭଉଣୀ ଖୁସବୁ ପଟାନୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟର ପ୍ରତିଶୋଧ ବୋଲି ଗ୍ୟାଙ୍ଗ ଦାବି କରିଥିଲା । ଏହି ଘଟଣା ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଶା ପଟାନୀଙ୍କ ବାପା ଏବଂ ପୂର୍ବତନ ଡିଏସପି ଜଗଦୀଶ ପଟାନୀଙ୍କ ସହ କଥା ହୋଇ ପରିବାରକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ । ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ୨୫୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।