ମାଲକାନଗିରି: ଦୁର୍ବଳ ହେଉଛି ମାଓ ଗଡ଼। ଭୁଶୁଡ଼ୁଛି କିଲ୍ଲା। ମାଓନେତା ରୂପେଶଙ୍କ ସହ ୧୩୦ ଜଣ ହାର୍ଡକୋର ନକ୍ସଲ ଲାଲ୍ ଗ ଛାଡି ନିଜ ନିଜର ବନ୍ଧୁକ ଧରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଲାଗି ଆସୁଛନ୍ତି । ଆସନ୍ତାକାଲି ଜଗଦଲପୁର ଠାରେ ଆୟୋଜିତ  ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିବାର ରହିଛି କାର୍ଯ୍ୟକ୍ରମ। ଯଦି ଏମିତି ହୁଏ ତାହା ହେଲେ ଏହା ନକ୍ସଲ ଇତିହାସରେ ଦେଶର ସବୁଠାରୁ ବଡ ଆତ୍ମସମର୍ପଣ ହେବ ।

ଗଡ଼ଚିରୋଲି ଏବଂ କାଙ୍କେରରେ ମାଓ ମଧ୍ୟରେ ଫାଟ କେବଳ ଏକ ଝଲକ ଥିଲା ପ୍ରକୃତ ଚିତ୍ର ଏବେ ବିଜାପୁରରେ ଦୃଶ୍ୟମାନ ହେଉଛି । ଯେଉଁଠାରେ ମାଓ ଚିନ୍ତାଧାରା ବନ୍ଧୁକ ନୁହେଁ, ବର୍ତ୍ତମାନ ଦିନରେ ମାଓବାଦୀଙ୍କ ଆତ୍ମସମର୍ପଣର ପରିବର୍ତ୍ତନର କଥା କହୁଛି । ଏହି ଆତ୍ମସମର୍ପଣକୁ ଦେଶର ମାଓ ସମସ୍ୟାର ଇତିହାସରେ ସବୁଠାରୁ ବଡ଼ ବୋଲି ବିବେଚନା କରାଯାଉଛି। ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖ୍ୟ ଏବଂ ମାଓ ସଂଗଠନର ମୁଖପାତ୍ର ରୂପେଶ ଓରଫ ସତୀଶ ଓରଫ ଆସନା। ସେ ଛତିଶଗଡ଼ର ବସ୍ତରର ବିଜାପୁର ଜିଲ୍ଲାର ଭୈରାମଗଡ଼ ଅଞ୍ଚଳରେ ତାଙ୍କର ୧୩୦ ଜଣ ସାଥୀଙ୍କ ସହ ଜଗଦଲପୁରରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି । ଏହି ଦଳ ମାଡ୍ ଡିଭିଜନ ପାର କରି ଇନ୍ଦ୍ରାବତୀ ନଦୀ ପାର ହେବା ପରେ ଆତ୍ମସମର୍ପଣ ସ୍ଥାନରେ ପହଞ୍ଚିବେ

ସୂତ୍ର ଅନୁଯାୟୀ, ସେମାନଙ୍କ ସହିତ ୭୦ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ରହିଛି। ସଂଗଠନର ଦୀର୍ଘକାଳୀନ ଚେହେରା ରୂପେଶ, ବିଗତ ଦିନରେ ଶାନ୍ତି ଆଲୋଚନା ପଦକ୍ଷେପ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ । ନକ୍ସଲ ବିରୋଧୀ ଅପରେସନକୁ ଛଅ ମାସ ପାଇଁ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେବର୍ତ୍ତମାନ, ସେହି ନେତା ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସୂଚାଇ ଦେଇଛି ଯେ ମାଓ ଗଡର ପତନ ଘଟୁଛି। ମାଓ ଚିନ୍ତାଧାରା ଏବେ ଭୂମିଗତ ସ୍ଥିତିରେ ପହଞ୍ଚିଛି ଏବଂ ଦ୍ରୁତ ଗତିରେ ଦୁର୍ବଳ ହେଉଛି।