ମାଲଦା: ପଶ୍ଚିମବଙ୍ଗ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଗୋଟିଏ ଦିନରେ ୧୦ ନବଜାତକଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି, ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି। ଏହି ଘଟଣା ଅଗଷ୍ଟ ୧୨ ତାରିଖର ବୋଲି କୁହାଯାଉଛି। ମାମଲା ଜଣାପଡିବା ପରେ ସ୍ୱାସ୍ଥ୍ୟ ଭବନ କଡ଼ା ଆଭିମୁଖ୍ୟ ଅବଲମ୍ବନ ପୂର୍ବକ ହସ୍ପିଟାଲ ପ୍ରଶାସନକୁ ପୁରା ଘଟଣାର ବିସ୍ତୃତ ରିପୋର୍ଟ ତଲବ କରିଛି ଓ ଶିଶୁ ମୃତ୍ୟୁର ବଢୁଥିବା ହାରକୁ ନେଇ ଦେଖରେଖ ବଢାଇବାକୁ ନିର୍ଦ୍ଦେଶ ଜାରି କରିଛି।

ମାମଲାରେ ହସ୍ପିଟାଲ ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୨ ତାରିଖରେ ଯେଉଁ ୧୦ ନବଜାତଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରୁ ୮ଟି ପିଲାଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ହସ୍ପିଟାଲ ଓ ଘରୋଇ ନର୍ସିଂହୋମରୁ ମାଲଦା ମେଡିକାଲ କଲେଜ ରେଫର କରାଯାଇଥିଲା। ଏଥିରୁ ୨ଟି ଶିଶୁଙ୍କ ଜନ୍ମ ମେଡିକାଲ କଲେଜ ହସ୍ପିଟାଲରେ ହୋଇଥିଲା। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରସନଜିତ ବର କହିଛନ୍ତି ଯେ ମୃତ ଶିଶୁଙ୍କ ମଧ୍ୟରୁ ୪ ଜଣଙ୍କର ଜନ୍ମ ପରବର୍ତ୍ତି ହୃଦ ସମ୍ପର୍କିତ ଜଟିଳତା ଥିଲା। ସେହିପରି ୨ଟି ଶିଶୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅନ୍ୟ ପିଲାଙ୍କ ମଧ୍ୟରେ ଅଲଗା ଅଲଗା ଜଟିଳତା ଥିଲା।

ସ୍ୱାସ୍ଥ୍ୟ ବିଭାଗ ସୂତ୍ର ଅନୁସାରେ ପରିସ୍ଥିତି ଆହୁରି ଚିନ୍ତାଜନକ। କାରଣ ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ ମାଲଦା ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ୬୦ ଶିଶୁଙ୍କ ମୃତ୍ୟୁ ହେଲାଣି। ଏହି ମୋଟ ମୃତ୍ୟୁରୁ ୪୪ ଜଣ ଏପରି ଥିଲେ ଯେଉଁମାନଙ୍କୁ ଅନ୍ୟ ମେଡିକାଲ ଓ ଘରୋଇ ନର୍ସିଂ ହୋମରୁ ସ୍ୱାସ୍ଥ୍ୟଗତ ଜଟିଳତା ପାଇଁ ମେଡିକାଲ କଲେଜ ହସ୍ପିଟାଲ ରେଫର କରାଯାଇଥିଲା। ତେବେ ପ୍ରାଣ ହରାଇଥିବା ଅନ୍ୟ ୧୬ ଜଣ ଶିଶୁଙ୍କ ଜନ୍ମ ଏହି ମେଡିକାଲ କଲେଜ ହସ୍ପିଟାଲରେ ହୋଇଥିଲା। ଏତେ ସଂଖ୍ୟାରେ ଶିଶୁ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ମାମଲାକୁ ଗୁରୁତର ସହ ଗ୍ରହଣ କରିଥିବା ବେଳେ ସମୀକ୍ଷା ଆରମ୍ଭ କରିଛି।

ଏଥିରେ ହସ୍ପିଟାଲ ପ୍ରଶାସନ ପକ୍ଷ ରଖିଛି ଯେ ହସ୍ପିଟାଲ ଆଣିବା ସମୟରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ଅଧିକ ଜଟିଳ ଥିଲା ଓ ସେମାନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ନିଜନିଜ ସ୍ତରରେ ସବୁ ପ୍ରକାର ଉଦ୍ୟମ କରିଥିଲେ। ତେବେ ଦିନକରେ ହୋଇଥିବା ୧୦ ନବଜାତକଙ୍କ ମୃତ୍ୟୁ ଓ ମାସକରେ ୬୦ ଶିଶୁଙ୍କ ମୃତ୍ୟୁର ଅସଲ କାରଣ ତନ୍ନତନ୍ନ ଯାଞ୍ଚ କରାଯାଉଛି। ଚିକିତ୍ସା କାଳରେ କୌଣସି ପ୍ରକାରର ଅବହେଳା ହୋଇଥିଲା କି ନା ତାହା ବିସ୍ତୃତ ଯାଞ୍ଚ ଓ ସ୍ୱାସ୍ଥ୍ୟ ବିଭାଗକୁ ପଠାଯିବାକୁ ଥିବା ଚୂଡ଼ାନ୍ତ ରିପୋର୍ଟ ପରେ ହିଁ ଜଣାପଡିବ।

ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ପ୍ରଶାସନକୁ ଏହି ପୁରା ଘଟଣାର ବିସ୍ତୃତ ବିବରଣୀ ମାଗିଛନ୍ତି। ଏହାର ଜବାବରେ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରାଥମିକ ରିପୋର୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି ଓ ପୁରା ରିପୋର୍ଟ ଖୁବ୍ ଶୀଘ୍ର ପ୍ରଦାନ କରାଯିବ ବୋଲି ଆଶ୍ୱସ୍ତ କରିଛନ୍ତି। ଏଥି ମଧ୍ୟରେ ସ୍ୱାସ୍ଥ୍ୟ ଅଧିକାରୀ ସତର୍କତା ଅବଲମ୍ବନ ପୂର୍ବକ ଜିଲ୍ଲାର ଅନ୍ୟ ହସ୍ପିଟାଲ ଓ ଘରୋଇ ନର୍ସିଂ ହୋମ ଉପରେ କଡ଼ା ନଜର ରଖିଛନ୍ତି।