ମିଡିଲବର୍ଗ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ସମ୍ମାନଜନକ ‘ଇଣ୍ଟରନ୍ୟାସନାଲ ଫୋର ଫ୍ରିଡମସ୍ ଆୱାର୍ଡ’ରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ସମ୍ମାନ ତାଙ୍କୁ ଓ ତାଙ୍କ ଦେଶକୁ ଯୁଦ୍ଧରେ ଋଷିଆକୁ ବିରୋଧ କରିବାରେ ଦେଖାଇଥିବା ସାହସ ଓ ଦୃଢତା ଲାଗି ଦିଆଯାଇଛି। ଏହି ପୁରସ୍କାର ରୁଜଭେଲ୍ଟ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥାଏ। ରୁଜଭେଲ୍ଟ ଫାଉଣ୍ଡେସନର ସ୍ଥାପନା ୧୯୮୨ ମସିହାରେ ସେହି ‘ଫୋର ଫ୍ରିଡମସ୍’ ସମ୍ମାନରେ ପୁରସ୍କୃତ କରିବା ପାଇଁ କରାଯାଇଥିଲା ଯାହାର ଉଲ୍ଲେଖ ଆମେରିକା ରାଷ୍ଟ୍ରପତି ପ୍ରାଙ୍କଲିନ ଡି.ରୁଜଭେଲ୍ଟ ତାଙ୍କ ୧୯୪୧ ‘ଷ୍ଟେଟ ଅଫ ଦି ୟୁନିୟନ’ ସମ୍ବୋଧନରେ କରିଥିଲେ। ତାଙ୍କ ସମ୍ବୋଧନରେ ରୁଜଭେଲ୍ଟ କହିବା ଓ ଅଭିବ୍ୟକ୍ତିର ସ୍ୱାଧୀନତା, ପୂଜାର ସ୍ୱାଧୀନତା, ଦାରିଦ୍ର୍ୟତା ଓ ଭୟରୁ ମୁକ୍ତିର କଥା କହିଥିଲେ।

ଆଉ କିଏ ପାଇଛନ୍ତି ଏହି ପୁରସ୍କାର?
ଫଉଣ୍ଡେସନର ଅଧ୍ୟକ୍ଷ ହ୍ୟୁଗୋ ଡି. ଯୋଙ୍ଗ ଗୁରୁବାର କହିଛନ୍ତି ଯେ ‘ଆମେ ୟୁକ୍ରେନ ଲୋକଙ୍କ ଅତୁଟ ସାହସ, ନିରନ୍ତର ଦୃଢତା ଓ ତାଙ୍କ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କିଙ୍କ ସ୍ଥିର ଓ ଦୃଢ ନେତୃତ୍ୱକୁ ସର୍ବୋଚ୍ଚ୍ ସମ୍ମାନ ଅର୍ପିତ କରୁଛୁ’। ଏହି ଅନ୍ତର୍ଜାତୀୟ ପୁରସ୍କାରର ପିଛିଲା ବିଜେତାଙ୍କ ମଧ୍ୟରେ ନେଲସନ ମାଣ୍ଡେଲା, ଦଲାଇ ଲାମା, ଜର୍ମାନର ପୂର୍ବତନ ଚାନ୍ସେଲର ଏଞ୍ଜେଲା ମାର୍କେଲ, ମିଳିତ ଜାତି ସଂଘ ଓ ଇଣ୍ଟରନ୍ୟାସନାଲ କମିଟି ଅଫ ଦି ରେଡକ୍ରସ ଆଦି ଅଛନ୍ତି।

ଏହି ପୁରସ୍କାରର ମଧ୍ୟ ହୋଇଛି ଘୋଷଣା
ସେହିପରି ଫ୍ରାନ୍ସର ଦୁଷ୍କର୍ମ ପୀଡ଼ିତା ଗିସେଲେ ପେଲିକଟଙ୍କୁ ଭୟରୁ ମୁକ୍ତି (ଫ୍ରିଡମ ଫ୍ରମ ଫିୟର) ପୁରସ୍କାର ପ୍ରଦାନ କରାଯାଇଛି। ଏହା ଛଡା କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ୍ କୁ କହିବାର ସ୍ୱତନ୍ତ୍ରତା (ଫ୍ରିଡମ ଅଫ ସ୍ପିଚ୍) ପୁରସ୍କାର ମିଳିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଫାଉଣ୍ଡେସନ ପକ୍ଷରୁ ‘ପୂଜା ସ୍ୱାଧୀନତା’ (ଫ୍ରିଡମ ଅଫ ୱରସିପ୍) ପୁରସ୍କାର ବିଜେତାଙ୍କ ନାମ ସାର୍ବଜନିକ ଭାବେ ଘୋଷଣା କରାଯାଇ ନାହିଁ।

ଡଚ୍ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କୁ ଭେଟିଲେ ଜଲେନସ୍କି
ପୁରସ୍କାର ବିତରଣ ଉତ୍ସବ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ଡଚ୍ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କୁ ଭେଟିଛନ୍ତି। ଋଷିଆ ଆକ୍ରମଣ ପରଠାରୁ ନେଦରଲ୍ୟାଣ୍ଡ ୟୁକ୍ରେନର ଏକ ମଜଭୁତ ସମର୍ଥକ ରହି ଆସିଛି। ଏଥିରେ ନେଦର ଲ୍ୟାଣ୍ଡ ୟୁକ୍ରେନକୁ ପାଟ୍ରିୟଟ ମିଜାଇଲ ଓ ଯୁଦ୍ଧ ବିମାନ ମଧ୍ୟ ଉପଲବ୍ଧ କରାଇଛି। ଏହା ପୂର୍ବରୁ ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ଡିଲନ ୟେସିଲଗୋଜ-ଜେଗେରିୟସ୍ ୟୁକ୍ରେନ ସେନା ଲାଗି ଡ୍ରୋନ ନିମନ୍ତେ ୨୪୮ ମିଲିୟନ ୟୁରୋ ବ୍ୟୟ କରିବ ବୋଲି ଘୋଷଣା କରିଥିଲେ।

ଜର୍ମାନ, ନରୱେ ଏବଂ ଇଟାଲୀ କରୁଛନ୍ତି ୟୁକ୍ରେନକୁ ସହଯୋଗ
ଋଷିଆ ସହିତ ଆମେରିକା ମଧ୍ୟସ୍ଥତାରେ ହେବାକୁ ଥିବା ଆଗାମୀ କଥାବାର୍ତ୍ତା ଲାଗି ଏପର୍ଯ୍ୟନ୍ତ କୌଣସି ଯୋଜନା ଘୋଷଣା ହୋଇନି। ଏଣୁ ଜେଲେନସ୍କି ୩ ୟୁରୋପୀୟ ଦେଶଙ୍କ ରାଜାଧାନୀ ଗସ୍ତ କରିଛନ୍ତି। ମାତ୍ର ୪୮ ଘଣ୍ଟାରେ ଜେଲେନସ୍କି କରିଥିବା ଏହି ଗସ୍ତରେ ଜର୍ମାନ, ନରୱେ ଏବଂ ଇଟାଲୀ ଠାରୁ ଅଧିକ ସାମରିକ ଓ ଆର୍ଥିକ ସହାୟତା ପ୍ରତିଶ୍ରୁତି ହାସଲ କରିବାକୁ ଉଦ୍ୟମ କରିଛନ୍ତି। ୟୁକ୍ରେନ ଅଧିକାରୀଙ୍କ ଅନୁସାରେ ଜର୍ମାନ ୟୁକ୍ରେନକୁ ୪ ବିଲିୟନ ୟୁରୋ ଅର୍ଥାତ ୪.୭ ବିଲିୟନ ଆମେରିକୀୟ ଡଲାର ପ୍ୟାକେଜ ଦେବାକୁ ସହମତ ହୋଇଛି। ସେହିପରି ନରୱେ ୯ ବିଲିୟନ ୟୁରୋ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛି।