ଭଦ୍ରକ ୦୯।୦୩ : ରବିବାର ରାତି ଥିଲା ଟି-୨୦ ବିଶ୍ୱକପ୍ ଫାଇନାଲର ରାତି । ସମସ୍ତେ ଫାଇନାଲ ମ୍ୟାଚ୍ ଦେଖାରେ ମସ୍ଗୁଲ ଥିବା ବେଳେ ଭଦ୍ରକ ସହରାଞ୍ଚଳ ଥାନା ଗୁଣ୍ଠୁନିଆ ଗାଁରୁ ଆସୁଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଦେଲେ ୫ ଜଣ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀରେ ରୁହନ୍ତୁ ଶ୍ରୀ କୁମାର ସ୍ୱାମୀ । ରବିବାର ରାତିରେ ସେ ଘରେ ବସି ଫାଇନାଲ ମ୍ୟାଚ୍ ଦେଖୁଥିଲେ । ମ୍ୟାଚ୍ ସମୟରେ ତାଙ୍କୁ ଫୋନ୍ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାର ଯାଇଥିଲେ । ସେଠାରେ ପ୍ରାୟ ୫ ଜଣ ଯୁବକ ପୂର୍ବରୁ ଲୁଚି ରହିଥିଲେ । ଶ୍ରୀ କୁମାର ଆସିବା କ୍ଷଣି ତାଙ୍କୁ ଅତର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଉପସ୍ଥିତ ଥାଇ ମଧ୍ୟ କୌଣସି ବିରୋଧ କରିନଥିଲେ । ପାଞ୍ଚ ଜଣଙ୍କ ମିଳିତ ଆକ୍ରମଣରେ ଶ୍ରୀ କୁମାର ଗୁରୁତର ଭାବେ ଘଟଣାସ୍ଥଳରେ ପଡିଥିଲେ । ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

ଅନ୍ୟପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ କିପରି ଓ କାହିଁକି ହତ୍ୟା ହେଲା, ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ସଂପର୍କରେ କିଛି ସୂଚନା ମିଳିନାହିଁ ।

ଏ ଖବର ବି ପଢନ୍ତୁ:- ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ : ଲେଖିଲେ -'କୋଚ୍ ସାହେବ, ତୁମେ'...