ନୂଆଦିଲ୍ଲୀ, ୦୯ /୦୩: ଆଇସିସି ଟି୨୦ ବିଶ୍ୱକପରେ ଇତିହାସ ରଚିଛି ଭାରତ । ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଶୋଚନୀୟ ଭାବେ ମାତ୍ ଦେଇ ମେନ୍ ଇନ୍ ବ୍ଲୁ ଟ୍ରଫି ହାତେଇଛି । ତେବେ ଭାରତ ଜିତିବା ପରେ କିଛି ଏମିତି ଦେଖିବାକୁ ମିଳିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭାରତ ମ୍ୟାଚ୍ ଜିତିବାର କିଛି ମିନିଟ୍ ପରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଧୋନୀ ଷ୍ଟାଡିୟମରେ ନଜର ଆସିଥିଲେ । ସେ ଭିଭିଆଇପି ବକ୍ସରେ ବସିଥିଲେ । ତାଙ୍କ ସହ ରୋହିତ ଶର୍ମା ଏବଂ ଜୟ ଶାହ ମଧ୍ୟ ଉପସ୍ଥିତ ଥିଲେ । ମ୍ୟାଚ୍ ଶେଷ ହେଲା ପରେ ଧୋନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

A post shared by M S Dhoni (@mahi7781)

ଧୋନୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, କୋଚ୍ ସାହେବ । ଆପଣ ହସିଲେ ବହୁତ ଭଲ ଲାଗେ । ଏହାସହ ମାହି ଭାରତୀୟ ଦଳର ପ୍ରଦର୍ଶନ ଏବଂ ଗତ କିଛି ଦିନ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି । ସେ ଆହୁରି ଲେଖିଛନ୍ତି ଯେ, ଅହମ୍ମଦାବାଦରେ ଇତିହାସ ଲେଖାଯାଇଛି । ଏହି ବିଜୟ ସାରା ଦେଶ ପାଇଁ ଗର୍ବର ସମୟ ବୋଲି ଧୋନୀ କହିଛନ୍ତି ।

କେବଳ ଏତିକି ନୁହେଁ, ମାହି ଆହୁରି ମଧ୍ୟ ଲେଖିଛନ୍ତି ଯେ, ସମସ୍ତ ସହଯୋଗୀ ଷ୍ଟାଫ୍ ଏବଂ ଭାରତୀୟ ଦଳର ସାରା ବିଶ୍ୱରେ ଥିବା ଫ୍ରଶଂସକଙ୍କୁ ଅନେକ ଅନେକ ଅଭିନନ୍ଦନ । ସମସ୍ତେ ଖେଳରେ ନିଜର ଯୋଗଦାନ ଦେଇଛନ୍ତି । ଯାହା ବହୁତ ଭଲ କଥା । ତେବେ ତାଙ୍କର କୋଚ୍ ସାହେବ ଶବ୍ଦ ସିଧାସଳଖ ଗମ୍ଭୀରଙ୍କୁ ସୂଚାଉଛି । କାରଣ ଗମ୍ଭୀର ସଦାବେଳେ ଗମ୍ଭୀର ରହିବା ସହ ଖୁବ୍ କମ୍ ହସିଥାନ୍ତି । ତେଣୁ ବିଜୟ ପରେ ତାଙ୍କ ଖୁସିକୁ ନେଇ ଧୋନୀ ଟିପ୍ପଣୀ ଦେଇଥିବା ପୋଷ୍ଟ୍ ଖୁବ୍ ଚର୍ଚ୍ଚାରେ ରହିଛି ।