ଭୁବନେଶ୍ୱର ୦୫/୧୧: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଗାଁରେ ଅଛି ତାଙ୍କ ମର ଶରୀର । ତେବେ ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକଙ୍କ ଅଭିଯୋଗ। ସେପଟେ ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । 

ସୂଚନା ଥାଉକି, ଯାତ୍ରା ଜଗତର ସିଏ ବାପା ଭାବେ ଥିଲେ ଖ୍ୟାତ୍ । ଜଣେ ଉଚ୍ଚକୋଟୀର କଳାକାର । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ । ୫୦ ବର୍ଷରୁ ଅଧିକ ସମୟ ଓଡ଼ିଆ ଯାତ୍ରା ଜଗତରେ ରାଜ କରିଥିଲେ । ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ।

ଜେଲ ଟାଇଗର, ଲାଲୁଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଅନେକ ନାଟକରେ ସେ ନିର୍ଦେଶନା ଦେଇଛନ୍ତି। ​​​​​​​ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଦେବୀ । ଅନେକ ଅପେରା ସହ କାମ କରିଛନ୍ତି । ତାଙ୍କର ଅଭିନୟ ଳୋକଙ୍କ ଇମୋସନାଲ କରିଛି । ବର୍ଷ ବର୍ଷ ଅଭିଜ୍ଞତା ସହିତ ଜଣେ ଦକ୍ଷ ଓଡ଼ିଆ ଯାତ୍ରା କଳାକାର ଭାବେ ସେ କରିଥିଲେ ଅଭିନୟ ।