ନୂଆଦିଲ୍ଲୀ ୩।୯: ଲଗାଣ ବର୍ଷା ସାଙ୍ଗକୁ ହରିୟାଣାର ହାତିନୀକୁଣ୍ଡ ବ୍ୟାରେଜରୁ ଛଡା ଯାଉଥିବା ପାଣି ଏବେ ଯମୁନା ନଦୀକୁ ଫୁଲାଉଛି। ଫଳରେ ଜାତୀୟ ରାଜଧାନୀରେ ଏବେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଯମୁନା ତଟବର୍ତ୍ତୀ ଜନବସତୀ ବୁଡି ସାରିଥିବା ବେଳେ ବନ୍ୟା ପାଣି ଏବେ ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ପହଞ୍ଚିଲାଣି। ଭୀଷଣ ବର୍ଷାରେ ଉଛୁଳୁଥିବା ଯମୁନା ଏବେ ପୁରା ଦିଲ୍ଲୀକୁ କବଳିତ କରିବାରେ ଲାଗିଛି।

କାଶ୍ମୀର ଗେଟ ଇଣ୍ଟରଷ୍ଟେଟ୍ ବସ୍ ଟର୍ମିନସରେ ପାଣି ପଶି ସାରିଲାଣି। ଫଳରେ ବସ୍ ଷ୍ଟାଣ୍ଡକୁ ଯାତ୍ରୀବାହୀ ବସ ଯାତାୟାତ ଅଟକି ଯାଇଛି। ଏହି ବସ୍ ଟର୍ମିନସ ଦିଲ୍ଲୀ ଓ ଅନ୍ୟ ରାଜ୍ୟଙ୍କୁ ଆବାଗମନର ଏକ ପ୍ରମୁଖ କେନ୍ଦ୍ର। ବସ୍ ଷ୍ଟାଣ୍ଡକୁ ବସ୍ ଆସୁ ନଥିବାରୁ ଅଣ୍ଠୁଏ ଆଣ୍ଠୁଏ ପାଣିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଦିଲ୍ଲୀ ସଚିବାଳୟ ଯମୁନା ନଦୀ କୂଳରେ ସ୍ଥାପିତ। ତେବେ ଏଠାରେ ନଦୀର ବନ୍ୟା ପାଣି ଅଟକାଇବାକୁ ମୋଟା କାନ୍ଥ ସାଙ୍ଗକୁ ଉଚ୍ଚା ଉଚ୍ଚା ପ୍ରାଚୀର ରହିଛି। ହେଲେ ଯମୁନା ଏବେ ବନ୍ଧବାଡ଼ ବି ମାନୁନି। ସରକାରଙ୍କ ଦ୍ୱାରକୁ ବନ୍ୟା ପାଣି ପହଞ୍ଚି ଯାଇଛି।

ଦିଲ୍ଲୀ ପୁରୁଣା ରେଳ ପୋଲ (ଓଆରବି) ଉପରେ ବୁଧବାର ଯମୁନା ଜଳ ପ୍ରବାହୀତ ହୋଇଛି। ମଧ୍ୟାହ୍ନ ବେଳକୁ ଯମୁନା ଜଳସ୍ତର ୨୦୭ ମିଟରକୁ ପହଞ୍ଚିବା ଯୋଗୁ ତଳିଆ ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ୭,୫୦୦ ଲୋକଙ୍କୁ ଅପରାହ୍ନରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇଛି। କେନ୍ଦ୍ରୀୟ ବନ୍ୟା ନିୟନ୍ତ୍ରଣ କକ୍ଷର ଜନୈକ ଅଧିକାରୀଙ୍କ ଅନୁସାରେ ଦିଲ୍ଲୀରେ ବନ୍ୟା ଭଳି ପରିସ୍ଥିତି ଉପୁଜିବାର କାରଣ ବଜିରାବାଦ ଓ ହାତିନୀ କୁଣ୍ଡ ବ୍ୟାରେଜ। ଉପରମୁଣ୍ଡରୁ ଘଣ୍ଟାକୁ ଘଣ୍ଟା ପ୍ରବଳ ପାଣି  ଛଡା ଯାଉଥିବାରୁ ତଳ ମୁଣ୍ଡରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ଅଧିକାରୀ କହିଛନ୍ତି। ପୂର୍ବାନୁମାନ ଅନୁସାରେ ଜଳ ସ୍ତର ଆଗକୁ ଆହୁରି ବଢି ପାରେ।