News7 Logo

୧୯୭୮ ମସିହାରେ ଯାହା ଘଟିଥିଲା, ୨୦୨୫ ମସିହାରେ ହେବ କି? ଯମୁନାର କରାଳ ରୂପକୁ ନେଇ ବଢିଲା ଭୟ

NEWS7
delhi

ନୂଆଦିଲ୍ଲୀ ୦୪/୦୯: ସାରା ଦେଶରେ ବନ୍ୟାର ତାଣ୍ଡବ । ବନ୍ୟାର ବିକଟାଳ ରୂପ ଦେଖୁଛି ଉତ୍ତର ଭାରତ । ଦୀର୍ଘ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଏଥରର ବନ୍ୟା ସ୍ଥିତି । ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟାଜଳ । ନଦୀ ଫୁଲି ସ୍ଥଳଭାଗକୁ, ସହରକୁ, ଜନବସତିକୁ ମାଡି ଯିବା ପରେ ସ୍ଥିତି ଭୟାବହ ହୋଇଛି । ସାରା ଦେଶରେ ବର୍ଷା ତାଣ୍ଡବ ରଚାଇଛି। ଦିଲ୍ଲୀରୁ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ଖାଲି ପାଣି ଆଉ ପାଣି । ଲଗାଣ ବର୍ଷା ଓ ହରିୟାଣାରୁ ଛଡାଯାଇଥିବା ପାଣି ଯୋଗୁଁ ଉବୁଟୁବୁ ରାଜଧାନୀ । ଯମୁନାର ଜଳସ୍ତର ୨୦୭.୪୮ ମିଟରରେ ପହଞ୍ଚିଛି । ଯାହା ବିପଦ ସଙ୍କେତ ଉପରେ। ତେବେ ଏହି ସଂଖ୍ୟା ୧୯୭୮ ମସିହାରେ ଥିଲା ୨୦୭.୪୯ ମିଟର ସ୍ତର । ଯାହା କରିଥିଲା ରେକର୍ଡ । 

ଯମୁନା ଡରରେ ଛାନିଆ ଦିଲ୍ଲୀବାସୀ । କରାଳ ରୂପ ଇତିହାସର କରିବ ପୁନରାବୃତ୍ତି । ୧୯୭୮ ମସିହାକୁ ସ୍ଥିତି ପହଞ୍ଚିଛି ୨୦୨୫ରେ  । ସେତେବେଳେ ଯମୁନା ସ୍ଥିତି ଯାହା ଥିଲା ଏବେବି ସମାନ ଓ ଭୟଙ୍କର । ସେତେବେଳେ ବି ରାଜରାସ୍ତାରେ ଲହଡୀ ଭାଙ୍ଗୁଥିଲା ପାଣି । ବୁଡିଥିଲା ଗାଡି ମଟର, ବୁଡିଥିଲା ସରକାରୀ କୋଠା । ସେବେ ଭାସୁଥିଲା ଦିଲ୍ଲୀ, ଏବେବି ଭାସୁଛି ଦିଲ୍ଲୀ । ଛାତ ଉପରେ କଟିଥିଲା ୩ ଦିନ , ୩ ରାତି । ସ୍ଥିତି ଏମିତି ହୋଇଥିଲା, ଉଦ୍ଧାର ଲାଗି ନିୟୋଜିତ ଥିଲେ ସେନା ।  ବାହସୀନ ହୋଇଥିଲେ ଅଢେଲ ଲକ୍ଷ । ବନ୍ଦ ହୋଇଥିଲା ଟେଲିଫୋନ୍ ଲାଇନ, ଯୋଗାଯୋଗ ହୋଇଥିଲା ଠପ୍ । ପଲ୍ଲା ଗ୍ରାମ ଏବଂ ବାୱାନା ମଧ୍ୟରେ ଥିବା ଭାଙ୍ଗିଥିଲା ଡାହାଣ ସୀମା ବନ୍ଧ । ୱାଜିରାବାଦରୁ ଦିଲ୍ଲୀ-ହରିଆଣା ସୀମା ପର୍ଯ୍ୟନ୍ତ ବନ୍ଧ ଥିବା ସତ୍ତ୍ୱେ, ପାଣି ଆଲିପୁର ଓ ମଡେଲ ଟାଉନ୍, ମୁଖାର୍ଜୀ ନଗର ଅଞ୍ଚଳରେ ପଶିଥିଲା।

୨୦୧୩ ପରେ ଯୁମନା ନଦୀର ଉଗ୍ରରୂପ ଦେଖିବାକୁ ମିଳିଛି । ପାଣି ବଢୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି ।  ଯମୁନା ବଜାର ଅଂଚଳରେ ଲଗାଯାଇଥିବା ରିଲିଫ କେନ୍ଦ୍ରରେ ବି ପାଣି ପଶିଯାଇଛି । ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କୁ ଉଦ୍ଧାର କରି ଏଠାରେ ରଖାଯାଇଥିଲା ।ପାଣି ବଢୁଥିବାରୁ ଦିଲ୍ଲୀର ତଳିଆ ଅଂଚଳ ଗୁଡିକରେ ପାଣି ପଶିଯାଇଛି ।  ପ୍ରଶାସନ ଲୋକଙ୍କୁ ସତର୍କ କରିଛି ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଛି । ଉଦ୍ଧାର କାମ ଜାରି ରହିଛି । ଲୋକଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି । ଜାତୀୟ ରାଜଧାନୀରେ କିଭଳି ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି । ଘରେ ଘରେ ପାଣି ପଶିଛି । ଲୋକେ ନିଜ ଘର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ।  

୨୦୨୫ ରେ ସ୍ଥିତି ସମାନ ହୋଇଛି । ଗତ କିଛି ଦିନ ଧରି ଉତ୍ତର ଭାରତରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା । ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ସେପ୍ଟେମ୍ବର ୭ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ତିନି ଦିନ ପାଇଁ ମଧ୍ୟ ପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ଥାନରେ ଆଗାମୀ ଦୁଇ ଦିନ ପାଇଁ ବର୍ଷା ହୋଇପାରେ। ସେହିପରି ପଠାନକୋଟ ଏବଂ ଗୁରୁଦାସପୁର ଜିଲ୍ଲାରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ଏହାସହ ଉତ୍ତରାଖଣ୍ଡର ୧୩ଟି ଜିଲ୍ଲାରେ ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବ୍ୟୁରୋ ରିପୋର୍ଟ ପ୍ରମେୟ ନ୍ୟୁଜ୍ ସେଭେନ...ଡିଜିଟାଲ୍....