ବେଜିଂ ୧୧।୪: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୟୁରୋପୀୟ ସଂଘଙ୍କୁ ବେଜିଂ ସହିତ ମିଶି ଆମେରିକାର ଏକ ତରଫା ଦାଦାଗିରିର ଜବାବ ଦେବାକୁ ଆହ୍ୱାନ କରିଛନ୍ତି। ବେଜିଂରେ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କୁ ଭେଟିବା କାଳରେ ସି ଜିନପିଙ୍ଗ ଏହି ଆହ୍ୱାନ ଦେଇଛନ୍ତି। ଜିନପିଙ୍ଗଙ୍କ ଏହି ଆହ୍ୱାନ ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଆସିଛି। କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ୧୪୫% ରେସିପ୍ରୋକାଲ ଟାରିଫ ଲାଗୁ କରିଛନ୍ତି।
ଜିନପିଙ୍ଗ ଚୀନ୍ ଓ ୟୁରୋପକୁ ନିଜର ଅନ୍ତର୍ଜାତୀୟ ଦାୟିତ୍ୱ ପୁରା କରିବା ଦରକାର ଓ ଏକତରଫା ଧମକ ପ୍ରଥାକୁ ମିଳିତ ରୂପେ ବିରୋଧ କରିବା ଦରକାର ବୋଲି କହିଛନ୍ତି। ଚୀନ ରାଷ୍ଟ୍ରପତି ଜୋର ଦେଇ କହିଛନ୍ତି ଯେ ଏହା ଦ୍ୱାରା ନା କେବଳ ସେମାନଙ୍କ ନିଜର ବୈଦ୍ଧ ଅଧିକାର ଓ ସ୍ୱାର୍ଥର ରକ୍ଷା ହେବ ବରଂ ଅନ୍ତର୍ଜାତୀୟ ନିରପେକ୍ଷତା ଓ ନ୍ୟାୟର ମଧ୍ୟ ସ୍ଥାପନା ହେବ। ଏହାର ଜବାବରେ ସାଞ୍ଚେଜ କହିଛନ୍ତି ଯେ ବାଣିଜ୍ୟ ଉତ୍ତେଜନା ୟୁରୋପ ଓ ଚୀନର ସହଯୋଗରେ ବାଧା ହେବା ଉଚିତ ନୁହେଁ।
ସାଞ୍ଚେଜ କହିଛନ୍ତି ଯେ ଚୀନ ସହିତ ସ୍ପେନ ଓ ୟୁରୋପର ଟ୍ରେଡ ଡେଫିସିଟ୍ ଢେର ଅଧିକ, ଏହାର ସୁଧାର ଦିଗରେ ଆମକୁ କାମ କରିବାର ଅଛି। ଏଣୁ ବାଣିଜ୍ୟିକ ଉତ୍ତେଜନାକୁ ଆମେ ଚୀନ୍ ଓ ସ୍ପେନ ତଥା ଚୀନ୍ ଓ ୟୁରୋପ ସଂଘ ମଧ୍ୟରେ ସମ୍ବଦ୍ଧର ସମ୍ଭାବିତ ବିକାଶ ରାସ୍ତାରେ ଆସିବାକୁ ଦେବା ଉଚିତ ନୁହେଁ। ଡୋନାଲ୍ଡ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ଟାରିଫକୁ ବଢାଇ ୧୪୫% କରି ଦେଇଛନ୍ତି। ଫଳରେ ଚୀନ୍ ସହିତ ଆମେରିକାର ବାଣିଜ୍ୟ ଯୁଦ୍ଧ ତୀବ୍ର ରୂପ ଧାରଣ କରିଛି।
ଟ୍ରମ୍ପ ଗତ ଜାନୁୟାରୀରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏପର୍ଯ୍ୟନ୍ତ ଚୀନ୍ ବସ୍ତୁ ଉପରେ ୫ ଥର ଟାରିଫ ବୃଦ୍ଧି କଲେଣି। ବିଶ୍ଲେଷକମାନେ କହିଛନ୍ତି ଯେ ଆମେରିକାର ପ୍ରଥମ ଦୁଇଥର ଶୁଳ୍କ ବୃଦ୍ଧିକୁ ଚୀନ୍ ଏକ ସନ୍ତୁଳିତ ପ୍ରତିକ୍ରିୟା ରୂପେ ଦେଖୁଥିଲା। ଏଣୁ ଆଲୋଚନା ପାଇଁ ଦ୍ୱାର ଖୋଲା ରଖିଥିଲା। ତେବେ ଗତ ସପ୍ତାହରେ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ୩୪% ଶୁଳ୍କ ଲଗାଇବାର ଘୋଷଣା କରିବା ପରେ ଚୀନ୍ ମଧ୍ୟ ଆମେରିକା ଉତ୍ପାଦ ଉପରେ ୩୪% ଟ୍ୟାକ୍ସ ଲାଗୁ କରିଥିଲା।
ଚୀନ୍ ର ଏପରି ଜବାବୀ କାର୍ଯ୍ୟାନୁଷ୍ଠାନରେ ଟ୍ରମ୍ପ ଚୀନ୍ ରୁ ଆସୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ ଲାଗୁ କରିବା ସହିତ ବାର୍ତ୍ତା ସମାପ୍ତ ହେଲା ବୋଲି ଘୋଷଣା କରିଥିଲେ ଓ ଏହା ସହିତ ଆମେରିକାର ଚୀନ୍ ସାମଗ୍ରୀ ଉପରେ ଟାରିଫ ୧୦୪% ହୋଇଯାଇଥିଲା। ଏଥିରେ ଚୀନ୍ ପୁଣି ଥରେ ଆମେରିକା ଉତ୍ପାଦ ଉପରେ ଟାରିଫ ବଢାଇ ଜବାବ ଦେଇଥିଲା। ଫଳରେ ଚୀନ୍ ର ମୋଟ ଟାରିଫ ୮୪% ହୋଇଥିଲା। ପରେ ହ୍ୱାଇଟହାଉସ୍ ସ୍ପଷ୍ଟ କରିଛି ଯେ ଚଳିତବର୍ଷ ପ୍ରାରମ୍ଭରୁ ଫେଣ୍ଟେନାଇଲ ତସ୍କରୀରେ ବେଜିଂର କଥିତ ଭୂମିକାକୁ ନେଇ ଲଗାଯାଇଥିବା ୨୦% ଶୁଳ୍କ ମଧ୍ୟ ଏଥିରେ ସାମିଲ।