News7 Logo

ଭାରତର ଉଚ୍ଚତମ କର ସ୍ଲାବରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍

NEWS7
gfx

ନୂଆଦିଲ୍ଲୀ ୪।୯:  ଭାରତୀୟ କ୍ରିକେଟ ପ୍ରେମୀଙ୍କ ଲାଗି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) କେବଳ ଏକ ଟୁର୍ଣ୍ଣାମେଣ୍ଟ ନୁହେଁ ବରଂ କ୍ରିକେଟର ମହୋତ୍ସବ। ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ଆୟୋଜନ ଆଜି ବିଶ୍ୱର ସବୁଠୁ ଧନୀ ତଥା ଲୋକପ୍ରିୟ ଟି-୨୦ ଲିଗ୍ ରେ ପରିଣତ ହୋଇଛି। କୋଟି କୋଟି ଟଙ୍କାରେ ଖେଳାଳିଙ୍କ ନିଲାମ, ବିଜ୍ଞାପନ ଓ ପ୍ରସାରଣ ଅଧିକାର ଏହି ଖେଳକୁ ବିଶ୍ୱରେ ଏକ ଅଲଗା ପରିଚୟ ଦେଇଛି। ହେଲେ ଏବେ ଏହି ଭବ୍ୟ ଆୟୋଜନକୁ ଏକ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। କେନ୍ଦ୍ର ସରକାର ଆଇପିଏଲକୁ ୪୦% ଜିଏସଟିରେ ସାମିଲ କରିଦେଇଛନ୍ତି, ଯାହା ଭାରତର ସବୁଠୁ ଉଚ୍ଚତମ କର ହାର।

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ ଓ ଆର୍ଥିକ ଗୁରୁ୍ତ୍ୱ
ଆଜି ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧୦ ବିଲିୟନ ଡଲାରରୁ ବି ଅଧିକ ଅଙ୍କନ କରାଯାଉଛି। ୨୦୨୩-୨୦୨୭ ମଧ୍ୟରେ ଆଇପିଏଲ ପ୍ରସାରଣ ଅଧିକାର ପାଖାପାଖି ୪୮,୩୯୦ କୋଟି ଟଙ୍କାରେ ବିକ୍ରି ହୋଇଛି। କେବଳ ଏତିକି ନୁହେଁ ଟିକେଟ୍ ବିକ୍ରି, ପ୍ରାୟୋଜକ ଓ ଡିଜିଟାଲ ପ୍ରସାରଣରୁ ମଧ୍ୟ ଲିଗର ପ୍ରତ୍ୟେକ ବର୍ଷ ହଜାର ହଜାର କୋଟି ଟଙ୍କା ଆୟ ହେଉଛି। ଏହି କାରଣରୁ ଏହା କେବଳ ଭାରତ ନୁହେଁ ବିଶ୍ୱର ସବୁଠୁ ସଫଳ କ୍ରିକେଟ ଲିଗ୍ ମନେ  କରାଯାଏ।

ଫ୍ରାଞ୍ଚାଇଜିଙ୍କ ପାଇଁ ନୂଆ ସମସ୍ୟା
୪୦% ଜିଏସଟି ହାର ଲାଗୁ ହେବା ପରେ ଆୟୋଜକ ଓ ଟିମ୍ ମାଲିକଙ୍କ ଉପରେ ଆର୍ଥିକ ଚାପ ବଢିଯିବ। ପ୍ରଥମରୁ ହିଁ ଖେଳାଳିଙ୍କ ନିଲାମ, ଷ୍ଟାଡିୟମ ଭଡ଼ା, ସୁରକ୍ଷା ବ୍ୟବସ୍ଥା ଓ ଆୟୋଜନ ସମ୍ପର୍କିତ ଗତିବିଦ୍ଧି ଉପରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି, ଏବେ ନୂଆ ଟ୍ୟାକ୍ସ ସ୍ଲାବ କାରଣରୁ ସେମାନଙ୍କ ବ୍ୟୟଭାର ଆହୁରି ବଢିଯିବ। ଏଣୁ ଫ୍ରାଞ୍ଚାଇଜିଙ୍କୁ ହୁଏତ ସେମାନଙ୍କ ସଞ୍ଚାଳନ ଖର୍ଚ୍ଚ କାଟ କରିବାକୁ ପଡିବ ନଚେତ ଦର୍ଶକ ଓ ପ୍ରାୟୋଜକଙ୍କ ଠାରୁ ଅତିରିକ୍ତ ଆୟର ରାସ୍ତା ଖୋଜିବାକୁ ପଡିବ।

ଦର୍ଶକଙ୍କ ଉପରେ ପଡିବ ସିଧା ପ୍ରଭାବ
ଆଇପିଏଲର ଏପରି ଲୋକପ୍ରିୟତାର ସବୁଠୁ ବଡ଼ କାରଣ ଏଥିରେ ଦର୍ଶକଙ୍କ ଭାଗିଦାରୀ। ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରତି ସିଜିନରେ କୋଟି କୋଟି ଦର୍ଶକ ଯୋଡି ହୋଇଥାନ୍ତି। ହେଲେ ଏବେ ଉଚ୍ଚ କରହାର ସିଧା ଦର୍ଶକଙ୍କ ପକେଟ ଉପରେ ପଡିବ। ଏଥି ଯୋଗୁ ଏବେ ଟିକେଟ୍ ଦର ବଢିବା ନିଶ୍ଚିତ ମନେ କରାଯାଉଥିବା ବେଳେ ଅନଲାଇନ ଓ ଟିଭି ସବସ୍କ୍ରିପସନ ପ୍ୟାକେଜ ମଧ୍ୟ ମହଙ୍ଗା ହେବ।

ସରକାରଙ୍କ ପକ୍ଷ
ସରକାରଙ୍କ ତର୍କ ହେଉଛି ଆଇପିଏଲ ଏବେ କେବଳ ଏକ ଖେଳ ଆୟୋଜନ ନୁହେଁ ବରଂ ଏକ ବିଶାଳ ବ୍ୟବସାୟୀକ ଗତିବିଦ୍ଧି।ଏଥିରେ କୋଟି କୋଟି ଟଙ୍କା ନିବେଶ ସହିତ ନେଣଦେଣ ମଧ୍ୟ ହେଉଛି। ଏଣୁ ଏହାକୁ ଉଚ୍ଚତମ କରବର୍ଗରେ ସାମିଲ କରିବା ଉଚିତ। ସରକାରଙ୍କ କହିବା କଥା ହେଉଛି ଏହି ଟ୍ୟାକ୍ସରୁ ମିଳିବାକୁ ଥିବା ଅତିରିକ୍ତ ଆୟକୁ କ୍ରିଡା ବିକାଶ କାର୍ଯ୍ୟକ୍ରମ ଓ ଦେଶର ଭିତ୍ତିଭୂମି ସୁବିଧା ନିର୍ମାଣରେ ନିବେଶ କରାଯିବ।