LIVE TV

ଗାଜାରେ ସହାୟତା ନାମରେ ଶୋଷଣ, ଗର୍ଭବତୀ ହେଲେଣି ଅନେକ ମହିଳା : ରିପୋର୍ଟ

NEWS7
Women in Gaza

ନୂଆଦିଲ୍ଲୀ ୧।୧୦: ଗାଜାରେ ଗତ ୨ ବର୍ଷ ହେଲା ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏଥି ମଧ୍ୟରେ ଗାଜାରେ ରହୁଥିବା ମହିଳାଙ୍କ ସ୍ଥିତିକୁ ନେଇ ପ୍ରଥମ ଥରଏକ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ସେଠାରେ ଖାଇବା, ପିଇବା ଏବଂ ଔଷଧ ବଦଳେ ମହିଳାଙ୍କୁ ଯୌନ ଶୋଷଣର ସମ୍ମୁଖୀନ ହେବାକୁ ପଡୁଥିବା ଜଣାପଡିଛି। ଏପରି ଭୟାନକ କୃତ୍ୟ ସେହିମାନେ କରୁଛନ୍ତି ଯେଉଁମାନେ ଗାଜରେ ଚଳାଯାଉଥିବା ବିଭିନ୍ନ ସହାୟତା ସମୂହରେ କାମ କରୁଛନ୍ତି। ଏଣୁ ଅନେକ ମହିଳା ଗର୍ଭବତୀ ହୋଇଥିବା ଜଣାପଡିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହାୟତା ସମୂହରେ କାମ କରୁଥିବା ପୁରୁଷ ଗାଜାରେ ଅନାହାରର ଶିକାର ମହିଳାଙ୍କ ନିକଟରେ ଖାଦ୍ୟ ଅଥବା ଔଷଧ ବଦଳେ ଶାରୀରିକ ସମ୍ପର୍କ ଦାବି କରୁଛନ୍ତି। ଏଥି ପାଇଁ ସେମାନେ ମହିଳାଙ୍କ ଉପରେ ମାନସିକ ଚାପ ମଧ୍ୟ ପକାଉଛନ୍ତି। ଏପରିକି ସେମାନେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିବା ଜଣାପଡିଛି। ୱିମେନ୍ସ ଆଫାୟାର୍ସ ସେଣ୍ଟର ନିର୍ଦ୍ଦେଶକ ଅମଲ ସିୟାମ କହିଛନ୍ତି ଯେ ଇସ୍ରାଏଲର ଘେରାବନ୍ଦୀ ଓ ଯୁଦ୍ଧ ମହିଳାଙ୍କୁ ଏହି ପଙ୍କକୁ ଧକ୍କା ଦେଇଛି।

ରିପୋର୍ଟରେ କୁହାଯାଇଛି ଯେ ଗାଜାର ଋଢିବାଦୀ ସଂସ୍କୃତିରେ ଯୌନ ଶୋଷଣ ନେଇ କଥା ହେବା ସହଜ ନୁହେଁ। ମହିଳାମାନେ ପରିବାରର ବଦନାମୀ ଭୟରେ କଥା ହେବାକୁ ରାଜି ହେଉ ନାହାନ୍ତି। କେତେକ କ୍ଷେତ୍ର ମହିଳା ପୁରୁଷଙ୍କ କଥାରେ ମାନି ଯାଇଥିବା ବେଳେ ଆଉ ଅନେକ ମାନି ନାହାନ୍ତି। ହ୍ୟୁମ୍ୟାନ ରାଇଟ ୱାଚ୍ ର ଜନୈକ ଅଧିକାରୀ କହିଛନ୍ତି ଯେ ତାଙ୍କ ଟିମ୍‌ ଏପରି ଶହଶହ ମହିଳାଙ୍କୁ ଚିକିତ୍ସା କରୁଛନ୍ତି ଯେଉଁମାନଙ୍କ ଯୌନ ଶୋଷଣ ହୋଇଛି, ଏଥିରେ ଅନେକ ନାବାଳିକା ମଧ୍ୟ ଅଛନ୍ତି।

ଗାଜା ପରିସ୍ଥିତିକୁ ନେଇ ସହାୟତା ସମୂହଙ୍କ କହିବା କଥା ହେଉଛି ଯୁଦ୍ଧ ଓ ବିସ୍ଥାପନ ସେମାନଙ୍କ କାମକୁ ଜଟିଳ କରିଛି। ରିପୋର୍ଟ ଅନୁସାରେ ଗତବର୍ଷ ଯୌନ ଶୋଷଣର ୧୮ଟି ମାମଲା ସାମ୍ନାକୁ ଆସିଥିଲା। ହେଲେ ଏହି ସଂଖ୍ୟା ଚଳିତବର୍ଷ ଅନେକଗୁଣା ବଢି ଯାଇଛି। ଏହା ସେହି ସବୁ ମାମଲା ଯେଉଁଥିରେ ମହିଳାମାନେ ସାହାସ ସଞ୍ଚୟ କରି କଥା ହୋଇଛନ୍ତି। ତେବେ ସତ୍ୟତା ଅଧିକ ଭୟାବହ ହୋଇପାରେ। ଏଥିରେ ମହିଳାଙ୍କ ପ୍ରତି ଯୌନ ଶୋଷଣ ଅଭିଯୋଗରୁ ୟୁନାଇଟେଡ ନେସନ ରିଲିଫ ୱାର୍କ ଏଜେନ୍ସୀ (ୟୁଏନଆରଡବ୍ଲୁଏ) କର୍ମଚାରୀ ମଧ୍ୟ ବାଦ ପଡି ନାହାନ୍ତି। ହେଲେ ପ୍ରମାଣ ଅଭାବରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ।