ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ପାଇଁ ଭାରତୀୟ ଦଳ ଦୁବାଇ ପହଞ୍ଚି ସାରିଛି। ଦଳ ସେଠାରେ ଝାଳବୁହା ଅଭ୍ୟାସ ଚଳାଇଛି। ଭାରତୀୟ ଦଳ ସେପ୍ଟେମ୍ବର ୧୦ରେ ୟୁଏଇ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ। ତେବେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ ? କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଏସିଆ କପ୍‌ରେ ଟିମ୍ ଇଣ୍ଡିଆର ସବୁଠୁ ବଡ଼ ଚ୍ୟାଲେଞ୍ଜ ସଠିକ୍ ଦଳ ଚୟନ। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ରେ ଦମଦାର ପ୍ରଦର୍ଶନ କରିଛନ୍ତି। ଗମ୍ଭୀରଙ୍କ କୋଚିଂରେ ଭାରତ ୧୫ଟି ଟି-୨୦ ଖେଳି ମାତ୍ର ୨ଟି ହାରିଛି। ଗମ୍ଭୀର ସର୍ବଦା ଚୂଡ଼ାନ୍ତ ଏକାଦଶରେ ଅଲରାଉଣ୍ଡରଙ୍କୁ ଅଗ୍ରାଧିକାର ଦେଇ ଆସିଛନ୍ତି। ଏହି କାରଣରୁ ନିକଟରେ ଇଂଲଣ୍ଡ ଗସ୍ତରେ କୁଲଦୀପ ଯାଦବଙ୍କୁ ଗୋଟିଏ ବି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳି ନ ଥିଲା। ଏବେ ଏସିଆ କପ୍ ପାଇଁ ଶିବମ ଦୁବେଙ୍କ ଚୟନ ହୋଇଛି। କାରଣ ଆବଶ୍ୟକ ପଡ଼ିଲେ କିଛି ଓଭର ଦ୍ରୁତ ବୋଲର ଭାବେ କରି ପାରିବେ।

ଏସିଆ କପରେ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ଓ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଚୂଡ଼ାନ୍ତ ଏକାଶରେ ସ୍ଥାନ ମିଳିବ କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ। ଯଦି ଯଶ୍ରପୀତ ବୁମରା ଓ ଅର୍ଶଦୀପ ସିଂ ଉଭୟଙ୍କ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ ତେବେ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଯଦି ଦଳ ଜଣେ ବିଶେଷଜ୍ଞ ଦ୍ରୁତ ବୋଲର ସହ ମଇଦାନକୁ ଓହ୍ଲାଏ ତେବେ ଦୁଇ ସ୍ପିନରଙ୍କୁ ଦଳରେ ସଯୋଗ ମିଳିପାରେ। 

ରୋଚକ କଥା ଗୌତମ ଗମ୍ଭୀର ହେଡ୍ କୋଚ୍  ହେବା ପରଠୁ ବୁମରା ଓ ଅର୍ଶଦୀପଙ୍କୁ ଏକ ସଙ୍ଗେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଏକତ୍ର ଖେଳି ନାହାନ୍ତି। ବୁମରା ସଂପ୍ରତି ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର। ଅନ୍ୟପଟେ ଅର୍ଶଦୀପ ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ  ଓ୍ଵିକେଟ୍(୯୯) ହାସଲକାରୀ ବୋଲର।ତେଣୁ ଏମିତିରେ ଦୁଇ ବୋରଲଙ୍କ ମଧ୍ୟରୁ ଜଣଙ୍କୁ ବାଦ୍ ଦେବା ମୁସ୍କିଲ ହୋଇପାରେ। ତେଣୁ ଏହାର ସମ୍ଭାବନା ଅଧିକ ଯେ, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ଅକ୍ଷର ପଟେଲ୍ ଦ୍ଵିତୀୟ ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶର ଅଂଶ  ହୋଇ ପାରନ୍ତି। ଏହା ସହିତ ଅଭିଷେକ ଶର୍ମା, ତିଳକ ବର୍ମା ଓ ରିଙ୍କୁ ସିଂଙ୍କ ପରି ପାର୍ଟ ଟାଇମ ସ୍ପିନର୍ସ ଦରକାର ପଡ଼ିଲେ ବୋଲିଂ ମଧ୍ୟ କରି ପାରନ୍ତି। ​​​​​​​