ମୁମ୍ବାଇ : ନାୟକ ନୁହେଁ । କିନ୍ତୁ ରହିଛି କ୍ରେଜ୍ । ଦର୍ଶକଙ୍କ ହୃଦୟରେ ଆଜି ବି କରୁଛନ୍ତି ରାଜ୍ । ଦିନେ ସେ ବଡ଼ ବଡ଼ ଷ୍ଟାରଙ୍କ ବାପା ଭୂମିକାରେ ନଜର ଆସୁଥିଲେ । ବଲିଉଡର ବେଷ୍ଟ୍ କ୍ୟାରେକ୍ଟର ଆର୍ଟିଷ୍ଟ୍ ଭାବେ ପରିଚିତ ଥିଲେ । ହେଲେ ଏବେ ନିରବ । ବଲିଉଡଠୁ ଖୁବ୍ ଦୂରରେ । ସେ ହେଉଛନ୍ତି ଭାଇଜାନଙ୍କ ଅନ୍ ସ୍କ୍ରିନ୍ ବାପା ତଥା ବଲିଉଡର ଚର୍ଚ୍ଚିତ ଅଭିନେତା ରାଜୀବ ବର୍ମା । ସଲମାନ ଖାନଙ୍କ ଅନେକ ସୁପରହିଟ୍ ଫିଲ୍ମରେ ସେ ବାପାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। କିନ୍ତୁ ଆଜି ସେ ବଲିଉଡରୁଦୂରରେ ।

ରାଜୀବ ବର୍ମାଙ୍କ କ୍ୟାରିୟର :

ରାଜୀବ ବର୍ମା ଦୀର୍ଘ ଦିନ ଧରି ହିନ୍ଦୀ ସିନେମା ଏବଂ ଟେଲିଭିଜନରେ କାମ କରିଛନ୍ତି। ସେ ପାରିବାରିକ ଚରିତ୍ର, ବିଶେଷ କରି ବାପାଙ୍କ ଭୂମିକା ପାଇଁ ବେଶ୍ ପରିଚିତ । 'ହମ୍ ସାଥ୍ ସାଥ୍ ହୈଁ', 'ମୈନେ ପ୍ୟାର କିୟା', 'ହମ ଦିଲ ଦେ ଚୁକେ ସନମ' ଭଳି ଅନେକ ହିଟ ଫିଲ୍ମରେ ସେ ସଲମାନ ଖାନଙ୍କ ବାପାଙ୍କ ଭୂମିକାରେ ନଜର ଆସିଥିଲେ। ତାଙ୍କ ସରଳ ଅଭିନୟ ଓ ସଂଳାପ ଦର୍ଶକଙ୍କ ମନରେ ଏବେ ମଧ୍ୟ ତାଜା ରହିଛି।

ଦିନ ଥିଲା ରାଜୀବ ବର୍ମା ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଅଭିନେତାମାନଙ୍କ ମଧ୍ୟରେ ଜଣେ ଥିଲେ। ବଡ଼ ବ୍ୟାନରର ଫିଲ୍ମ ହେଉ କି ଲୋକପ୍ରିୟ ଟିଭି ଧାରାବାହିକ, ପ୍ରାୟ ସବୁଠି ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ଗତ କିଛି ବର୍ଷ ଧରି ରାଜୀବ ବର୍ମା ବଲିଉଡରୁ ପ୍ରାୟ ଅଦୃଶ୍ୟ ହୋଇଯାଇଛନ୍ତି। ଏହାକୁ ନେଇ ସମୟ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସେ ସାର୍ବଜନିକ ଜୀବନରେ ଅଧିକ ସକ୍ରିୟ ନାହାନ୍ତି।

କେମିତି କଟୁଛି ଜୀବନ ?

ବର୍ତ୍ତମାନ ରାଜୀବ ବର୍ମା ଅଧିକାଂଶ ସମୟ ତାଙ୍କ ପରିବାର ସହ କାଟୁଛନ୍ତି ଏବଂ ସାର୍ବଜନିକ କାର୍ଯ୍ୟକ୍ରମରେ ବହୁତ କମ୍ ଦେଖାଯାଆନ୍ତି। ସୋସିଆଲ୍ ମିଡିଆରେ ମଧ୍ୟ ସେ ବିଶେଷ ସକ୍ରିୟ ନୁହଁନ୍ତି। ତେଣୁ ତାଙ୍କ ଜୀବନକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସୁକତା ରହିଥାଏ। ଯଦିଓ ସେ ବର୍ତ୍ତମାନ ପରଦାରେ କମ୍ ନଜର ଆସୁଛନ୍ତି, ତଥାପି ତାଙ୍କ ଅଭିନୀତ ଅନେକ ଚରିତ୍ର ଆଜି ମଧ୍ୟ ଦର୍ଶକଙ୍କ ସ୍ମୃତିରେ ଜୀବନ୍ତ । ବିଶେଷକରି ସଲମାନ ଖାନଙ୍କ ସହ ତାଙ୍କ ଅନ୍-ସ୍କ୍ରିନ୍ ବାପା-ପୁଅ ସମ୍ପର୍କ ଆଜି ମଧ୍ୟ ବଲିଉଡ୍ର ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗଣାଯାଏ। ଆଗାମୀ ଦିନରେ ସେ ପୁଣି ରୂପୋଲି ପର୍ଦ୍ଦାକୁ ଫେରିବେ କି ନାହିଁ, ତାହା ଦେଖିବା ବାକି ରହିଲା।