ଆଗ୍ରା: ସ୍ୱାଧୀନତା ଦିବସ ପାଇଁ ସାରା ଦେଶରେ ଉତ୍ସବର ପରିବେଶ ଓ ସବୁଆଡେ ଲୋକେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥି ମଧ୍ୟରେ ବିଶ୍ୱକ ସପ୍ତାଶ୍ଚର୍ଯ୍ୟରେ ସାମିଲ ତାଜମହଲ କିନ୍ତୁ ଏଥିରୁ ବାଦ ପଡିଛି। ସ୍ୱାଧୀନତା ଦିବସ ଅବସରରେ ତାଜମହଲରେ ଜାତୀୟ ପତାକା ଉଡାଇବାକୁ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଛି। ସିଆଇଏସଏଫ ଓ ସ୍ଥାନୀୟ ପୋଲିସ ଏବେ ଯୁବକଙ୍କୁ ପଚରାଉଚରା କରୁଛନ୍ତି। ଏହି ଘଟଣା ପରେ ସୋସିଆଲ ମିଡିଆରେ ସାଧାରଣ ଜନତାଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠିଛି। ଲୋକେ ଦେଶର ଗୌରବ ଜାତୀୟ ପତାକା ଐତିହାସିକ ଭବନ ତାଜମହଲରେ କାହିଁକି ଉଡା ଯାଉନି? ଏପରି କରିବା କଣ ଅପରାଧି କି? ଆସନ୍ତୁ ଜାଣିବା ଐତିହାସିକ ଭବନକୁ ନେଇ କଣ ରହିଛି ଦେଶର ଆଇନ?

ଏଏସଆଇ ର କଡ଼ା ନିୟମ
ତାଜମହଲର ଦେଖରେଖ ଓ ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ (ଏଏସଆଇ) ନିକଟରେ ରହିଛି। ଏଏସଆଇ ନିୟମ ଅନୁସାରେ ତାଜମହଲ ସମେତ ଦେଶର କୌଣସି ସଂରକ୍ଷିତ ଜାତୀୟ ସ୍ମାରକରେ କୌଣସି ସାଧାରଣ ନାଗରିକ ତାଙ୍କ ଇଛାରେ କୌଣସି ପତାକା, ବ୍ୟାନର ଅଥବା ଧାର୍ମିକ ରାଜନୈତିକ ପ୍ରତିକ ଉଡାଇ ପାରିବେନି। ଧାର୍ମିକ ଓ ଐତିହାସିକ ଗୁରୁତ୍ୱର ସ୍ମାରକଙ୍କ ସାର୍ବଭୌମତ୍ୱ, ଶାନ୍ତି ଓ ସୁରକ୍ଷା ବଳବତ୍ତର ରଖିବା ପାଇଁ ପ୍ରାଚୀନ ସ୍ମାରକ ଓ ପ୍ରତ୍ନତତ୍ୱ ସ୍ଥଳ ଅବଶେଷ ଅଧିନିୟମ ୧୯୫୮ ରହିଛି। ଏହି ଆଇନ ଅନୁସାରେ ଐତିହାସିକ ସ୍ମାରକ ଭିତରେ ଏପରି କୌଣସି ଗତିବିଦ୍ଧି ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି ଯେଉଁଥିରେ ସେଠାକାର ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବା ପର୍ଯ୍ୟଟକଙ୍କ ମଧ୍ୟରେ କୌଣସି ବିବାଦ ହେବ।

ତାଜମହଲ ଉପରେ କେବେ ଉଡିଥିଲା କି ଜାତୀୟ ପତାକା?
ନିୟମ ଅନୁସାରେ ତାଜମହଲ ଉପରେ କୌଣସି ସରକାରୀ ଅଥବା ସାଧାରଣ ଦିବସରେ କେବେ ପତାକା ଉତ୍ତୋଳନ କରାଯାଇ ନାହିଁ। ଭାରତରେ କେବଳ କିଛି ବଛାବଛା ଐତିହାସିକ ଭବନ ରହିଛି ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ଅଧିକାରୀକ ଭାବେ ଜାତୀୟ ପତାକା ଉତ୍ତୋଳନ ହୁଏ। ଏଥିରେ ଲାଲକିଲାରେ ପ୍ରଧାନମନ୍ତ୍ରୀ ନିଜେ ପତାକା ଉତ୍ତୋଳନ କରନ୍ତି। କାରଣ ଏହା ଆମ ଗଣତାନ୍ତ୍ରିକ ପରମ୍ପରାର ଅଂଶବିଶେଷ। ଏହାର ବିପରୀତ ତାଜମହଲ ଏକ ଐତିହାସିକ ପର୍ଯ୍ୟଟନସ୍ଥଳ। ଏହାକୁ କୌଣସି ପ୍ରଶାସନିକ ଅଥବା ରାଜନୈତିକ ଗତିବିଦ୍ଧି ନିମନ୍ତେ ଉପଯୋଗ କରାଯାଏ ନାହିଁ।

ନିୟମ ଉଲ୍ଲଂଘନ କଲେ ମିଳିବ ଦଣ୍ଡ
ଏଥିରେ ଯଦି କୌଣସି ବ୍ୟକ୍ତି ସୁରକ୍ଷା ବଳୟ ଭେଦ କରି ଅଥବା ଆଇନ ଭାଙ୍ଗି ତାଜମହଲ ଉପରେ ଜୋର ଜବରଦସ୍ତ ପତାକା ଉଡାଇବା ବା କୌଣସି ପ୍ରଚାର ନେବାକୁ ଉଦ୍ୟମ କରନ୍ତି ତେବେ ତାଙ୍କୁ ଏଏସଆଇ ଆଇନ ଅନୁସାରେ ସରକାରୀ କାମରେ ବାଧା ସୃଷ୍ଟି କରିବା ଓ ନିଷିଦ୍ଧ କ୍ଷେତ୍ର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଟକ କରାଯାଇ ପାରେ। ସୁରକ୍ଷା ଭଙ୍ଗ ଅଥବା ଅଶାନ୍ତି ବ୍ୟାପ୍ତ କରିବା ଧାରାରେ ଜରିମନା ଓ ଜେଲ ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇପାରେ।