ନୂଆଦିଲ୍ଲୀ: ମ୍ୟାଁମାରର ଶକ୍ତିଶାଳୀ ଭୂକମ୍ପରୁ ବ୍ୟାପକ ଧନଜୀବନ ହାନି ହୋଇଛି । ମ୍ୟାଁମାର ଶୁକ୍ରବାର ୭.୭ ଓ ୬.୪ ତୀବ୍ରତାର ଦୁଇ ଭୂକମ୍ପ ସାମନା କରିଛି । ଭୂକମ୍ପର କେନ୍ଦ୍ର ସାଙ୍ଗଙ୍ଗ ସହରରୁ ୧୬ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ମପା ଯାଇଛି । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଥାଇଲାଣ୍ଡର ବ୍ୟାଙ୍କକକ୍ରେ ମଧ୍ୟ ଏହାକୁ ଅନୁଭୂତ କରାଯାଇଥିଲା । ମ୍ୟାଁମାରରେ ଭୂକମ୍ପ ପ୍ରଥମ ନୁହେଁ । ଏଠାରେ ଅଧିକାଂଶ ସମୟରେ ଭୂକମ୍ପ ଆସେ ଏବଂ ପ୍ରବଳ କ୍ଷତି ପହଞ୍ଚାଇଥାଏ । ମ୍ୟାଁମାରରେ ଭୂକମ୍ପ ଆସିବାର ପ୍ରମୁଖ କାରଣ ହେଉଛି ସାଗାଙ୍ଗ ଫଲ୍ଟ । ଏହା ଭାରତୀୟ ପ୍ଲେଟ୍ ଓ ବର୍ମା ମାଇକ୍ରୋପ୍ଲେଟ୍ ମଧ୍ୟରେ ଏକ ବଡ଼ ଟେକ୍ନୋଟିକ ସୀମା ରହିଛି । ଏହି କାରଣରୁ ମ୍ୟାଁମାର ଭୂକମ୍ପ ପାଇଁ ସମ୍ୱେଦନଶୀଳ ଅଟେ ।
ମ୍ୟାଁମାରର ଭୂକମ୍ପ ଆସିବାର ପ୍ରମୁଖ କାରଣ ସାଗାଙ୍ଗ ଫଲ୍ଟ ପ୍ରାୟ ୧୨୦୦ କିଲୋମିଟର ଯାଏ ବ୍ୟାପ୍ତ । ଏହା ଭାରତୀୟ ପ୍ଲେଟ୍ ଓ ବର୍ମା ମାଇକ୍ରୋପ୍ଲେଟ୍ ମଧ୍ୟରେ ରହିଛି । ଏହି ପ୍ଲେଟ୍ ପରସ୍ପର ସହ ଧକ୍କା ହେବା ପରେ ଭୂକମ୍ପ ହୋଇଥାଏ । ଏଥିରେ ଜନଜବୀନ ହାନିର ଅଧିକ ସମ୍ଭାବନା ରହିଛି, କାରଣ ଫଲ୍ଟ ଲାଇନ୍ ନିକଟରେ ଅଧିକ ଆବାସିକ ଅଞ୍ଚଳ ରହିଛି । ଆମେରିକାର ଜିୟୋଲଜିକାଲ୍ ସର୍ଭେର ରିପୋର୍ଟରେ କୁହାଯାଇଛି ଯେ ୧୯୩୦ରୁ ୧୯୫୬ ମଧ୍ୟରେ ସାଗାଙ୍ଗ ଫଲ୍ଟ ନିକଟରେ ରିକ୍ଟର ସ୍କେଲରେ ୭.୦ ତୀବ୍ରତାର ଛଅ ଭୂକମ୍ପ ଆସିଥିଲା । ସାଗାଙ୍ଗ ଫଲ୍ଟ ଯୋଗୁ ୧୯୪୬ରେ ୭.୭ ତୀବ୍ରତାର ଭୂକମ୍ପ ମ୍ୟାଁମାରରେ ହୋଇଥିଲା । ୨୦୧୨ରେ ୬.୮ ତୀବ୍ରତାର ଭୂକମ୍ପ ଏହି କ୍ଷେତ୍ରରେ ମାଡ଼ ହୋଇସାରିଛି ।
ସାଗାଙ୍ଗ ଫଲ୍ଟ ଏପରି ଏକ ସ୍ଥାନ ଯେଉଁଠାରେ ଦୁଇଟି ପ୍ଲେଟ (ଭୂଭାଗ) ପରସ୍ପରଠାରୁ ଦୂରେଇ ଯାଇଥାନ୍ତି । ବୈଜ୍ଞାନିକଙ୍କ ଅନୁସାରେ ଦୂରେଇବାର ଏହି ପ୍ରକ୍ରିୟା ବର୍ଷକୁ ୧୧ ଏମଏମରୁ ୧୮ ଏମଏମ ହାରରେ ହେଉଛି । ଏହି ଫଲ୍ଟ ସବୁବେଳେ ଖସୁଥିବା କାରଣରୁ ଚାପ ବଢିଥାଏ ଏବଂ ଏହି ଚାପ ହଠାତ୍ ବାହାରିବା ପରେ ଭୂକମ୍ପ ହୋଇଥାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ ଫଲ୍ଟ ଦୂରେଇବାର ଗତି ବହୁ ଅଧିକ ରହିଛି । ଏହାର ଅର୍ଥ ଏହା ଯେ ଅଧିକ ଉର୍ଜା ଜମା ହୋଇଥାଏ । ଏହି ଉର୍ଜା ଏକ ବଡ଼ ଭୂକମ୍ପର ରୂପେ ବାହାରକୁ ଆସିଥାଏ ।
ମ୍ୟାଁମାରରେ ଶୁକ୍ରବାର ପୂର୍ବାହ୍ନରେ ଆସିଥିବା ଭୂକମ୍ପର ପ୍ରଭାବ ଭାରତ, ଥାଇଲାଣ୍ଡ, ବାଂଲାଦେଶ ଓ ଚୀନ ସମେତ ୫ ଦେଶରେ ଦେଖିବାକୁ ମିଳିଛି । ମ୍ୟାଁମାର ଓ ଥାଇଲାଣ୍ଡରେ ଭୂକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିସାରିଛି । ଅନ୍ୟପଟେ ଶାତଧିକ ଏବେବି ନିଖୋଜ ଅଛନ୍ତି । ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।