ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ, ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ ୩୦/୦୪: ଆଜି ବସିବ ୩ ଉଚ୍ଚସ୍ତରୀୟ ବୈଠକ । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଏସ୍‌) ର ବୈଠକ ବସିବ । ଏଥିରେ ପାକିସ୍ତାନ ବିରୋଧରେ କିଛି ବଡ଼ ପଦକ୍ଷେପ ଘୋଷଣା କରାଯିବାର ସମ୍ଭାବନା ରହିଛି । ଗତ ବୁଧବାର ସିସିଏସ୍‌ ବୈଠକରେ ପାକିସ୍ତାନ ବିରୋଧରେ ୫ଟି ବଡ଼ ପଦକ୍ଷେପ ଘୋଷଣା କରାଯାଇଥିଲା । ଏହାପରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକ ବସିବ । 

ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେପଟେ ଭାରତ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ନେଇ ପାକିସ୍ତାନ ଏବେ ଚିନ୍ତିତ ହୋଇପଡ଼ିଛି । ସେଥିପାଇଁ ଏହାର ସେନା ମଧ୍ୟ ପ୍ରସ୍ତୁତି ଚଳାଇଛି । ଭାରତର ବାୟୁସେନା କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ଭାବୁଛି । ତେଣୁ ବାୟୁସେନା ପଦକ୍ଷେପର ଆଗୁଆ ସୂଚନା ପାଇବାକୁ ପାକ୍‌ ସେନା ଏଲ୍‌ଓସି ନିକଟରେ ଥିବା ନିଜ ରାଡାର ବ୍ୟବସ୍ଥାକୁ ଘୁଞ୍ଚାଇ ଦେଇଛି । 

ଫିରୋଜପୁର ସେକ୍ଟର ବିପରୀତ ଦିଗରେ ସିଆଲକୋଟ କ୍ଷେତ୍ରରେ ଏହି ରାଡାର ବ୍ୟବସ୍ଥା ରହିଛି । ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୫୮ କିଲୋମିଟର ଦୂରରେ ଥିବା ଚୋର୍‌ କ୍ୟାଣ୍ଟନମେଣ୍ଟଠାରେ ପାକିସ୍ତାନ ଏକ ଟିପିଏସ୍‌-୭୭ ରାଡାର ସାଇଟ୍‌ ସ୍ଥାପନ କରିଛି । ଟିପିଏସ୍‌-୭୭ ମଲ୍ଟିରୋଲ୍‌ ରାଡାର (ଏମ୍‌ଆର୍‌ଆର୍‌) ହେଉଛି ଏଭଳି ଏକ ଦକ୍ଷ ରାଡାର ବ୍ୟବସ୍ଥା, ଯାହାକୁ ଏୟାର ଟ୍ରାଫିକ୍‌ ତଦାରଖ ଲାଗି ବିଶ୍ୱବ୍ୟାପୀ ବ୍ୟବହାର କରାଯାଏ । 

ଏହାବ୍ୟତୀତ ପାକିସ୍ତାନ ସେନା ଆଜି ଲଗାତର ପଞ୍ଚମ ଦିନ ପାଇଁ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକ୍‌ ସେନା କୁପୱାଡ଼ା, ବାରାମୂଲା ଏବଂ ଅଖନୂର କ୍ଷେତ୍ର ନିକଟରେ ପ୍ରଚଣ୍ଡ ଗୁଳିମାଡ଼ କରିଛି । ସୀମାରେ ସଜାଗ ଭାରତୀୟ ଯବାନମାନେ ତାର ମୁହଁତୋଡ ଜବାବ ଦେଇଛନ୍ତି । ଏଥିରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ । ଭାରତୀୟ ସେନା ପକ୍ଷରୁ ଆଜି ଜମ୍ମୁ-କାଶ୍ମୀରରେ ଯୁଦ୍ଧାଭ୍ୟାସ କରାଯାଇଛି । 

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସହ ମିଳିତ ସହଯୋଗରେ ଏହି ଅଭ୍ୟାସ କରାଯାଇଛି । ତ୍ରିଶକ୍ତି କୋର ପକ୍ଷରୁ ସୋସିଆଲ ମିଡିଅରେ ଏହି ସୂଚନା ଦିଆଯାଇଛି । ଯେକୌଣସି ପ୍ରକାର ଆହ୍ୱାନର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଉଦ୍ଦେଶ୍ୟରେ ଏଭଳି ଅଭ୍ୟାସ କରାଯାଇଛି । ସେନା ପକ୍ଷରୁ ଆଜି ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରର ସୀମାନ୍ତବର୍ତ୍ତୀ ଗାଁର ଗ୍ରାମ ସୁରକ୍ଷା କମିଟିର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.