ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଚରମରେ ପହଞ୍ଚିଛି ଭାରତ- ପାକିସ୍ତାନ ମଧ୍ୟରେ ସମ୍ପର୍କ। ଭାରତ ପାକିସ୍ତାନ ବିରୋଧରେ ଅନେକ କଡ଼ା ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ନିଆଯାଇଥିବା ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ପାକିସ୍ତାନୀଙ୍କ ଭିସା କ୍ୟାନ୍ସଲ ଭଳି ଅନେକ ବଡ଼ ଆକ୍ସନ ପାକିସ୍ତାନକୁ ଚିନ୍ତାରେ ପକାଇଛି। ଏମିତିରେ ବ୍ୟତିବ୍ରସ୍ତ ହୋଇପଡ଼ିଥିବା ପାକିସ୍ତାନ ଏବେ ଆଇଏମଏଫ ଠାରୁ ୧୧ ହଜାର କୋଟି ଟଙ୍କାର ଭିକ୍ଷା ମାଗିଛି। ଯାହାର ନିଷ୍ପତ୍ତି ମେ ୯ରେ କରାଯିବ।
ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର କାର୍ଯ୍ୟକାରୀ ବୋର୍ଡର ବୈଠକ ମେ ୯ରେ ହେବାକୁ ଯାଉଛି। ଯେଉଁଥିରେ ପାକିସ୍ତାନ ସହ ଚାଲିଥିବା ୩୭ ମାସର ବେଲଆଉଟ କାର୍ଯ୍ୟକ୍ରମ ଅନୁଯାୟୀ, ୧.୩ ବିଲିୟନ ଡଲାରର କର୍ମଚାରୀ ସ୍ତରର ବୁଝାମଣା ଉପରେ ଚର୍ଚ୍ଚା କରାଯିବ। ଯଦି ଆଇଏମଏଫ୍ର କାର୍ଯ୍ୟକାରୀ ବୋର୍ଡ ଦ୍ବାରା ଏହାକୁ ମଞ୍ଜୁରୀ ମିଳୁଛି, ତେବେ ପାକିସ୍ତାନକର ଋଣ ପାଇବାର ସୀମା ୧ ବିଲିୟନ ଡଲାର ହୋଇଯିବ। ଆଉ କାର୍ଯ୍ୟକ୍ରମ ଅନୁଯାୟୀ, ସମୁଦାୟ ୨ ବିଲିୟନ ଡଲାର ମିଳିବ।
ସେପଟେ ପୁଣି ଭାରତ ସହ ଜାରି ସୀମା ବିବାଦ ମଧ୍ୟରେ କାଙ୍ଗାଳ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ଚୀନର ଦ୍ବାରସ୍ଥ ହୋଇଛି। ଆଉ ସେଠି ମଧ୍ୟ ସାହାଯ୍ୟ ପାଇଁ ଗୁହାରି କରିଛି। ଯେଉଁଥିରୁ ସ୍ପଷ୍ଟ ହେଉଛି ପାକିସ୍ତାନ ଋଣ ଉପରେ କେତେ ନିର୍ଭରଶୀଳ। ଆଉ ଏମିତିରେ କୌଣସି ବଡ଼ ଝଟକା ନିଶ୍ଚୟ ପାକିସ୍ତାନକୁ କ୍ଷତିରେ ପକାଇବ।
ସୂଚନାଥାଉକି, ପାକିସ୍ତାନ ଚୀନ ଠାରୁ ୧୦ ବିଲିୟନ ୟୁଆନ ବା ପ୍ରାୟ ୧.୪ ବିଲିୟନ ଡଲାରର ଲୋନ ମାଗିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପାକିସ୍ତାନର ଆର୍ଥିକ ସ୍ଥିତି ଲଗାତାର ଖସିବାରେ ଲାଗିଛି। ଏହା ପୂର୍ବରୁ ଚୀନ ଦ୍ବାରା ଦିଆଯାଇଥିବା ୪.୩ ବିଲିୟନ ଡଲାର ବାଣିଜ୍ୟ ସହାୟତା ଅବଧିକୁ ମଧ୍ୟ ନିକଟରେ ତିନି ବର୍ଷ ପାଇଁ ବଢ଼ାଯାଇଛି। ଯାହାକୁ ପାକିସ୍ତାନ ପୂର୍ବରୁ ହିଁ ବ୍ୟବହାର କରିସାରିଛି। ପାକିସ୍ତାନର ଅର୍ଥବ୍ୟବସ୍ଥା ଲମ୍ବା ସମୟରୁ ଚାଲେଞ୍ଜର ସାମ୍ନା କରୁଛି। ଏଥିରେ ବିଦେଶୀ ଋଣ, ଦରବୃଦ୍ଧି ଏବଂ ଦୁର୍ବଳ ମୁଦ୍ରା ପାକିସ୍ତାନ ଆଗରେ ଅନେକ ଅସୁବିଧା ଛିଡ଼ା କରିଛି। ଏମିତିରେ ସେ ନିଜର ସହଯୋଗୀ ଦେଶଙ୍କ ଠାରୁ ସାହାଯ୍ୟ ମାଗିଛି।