ଆମେରିକା ରାଷ୍ଟ୍ରପତିଙ୍କୁ ମିଳୁ ନୋବେଲ ପୁରସ୍କାର, ପୁଣି ଦାବି କଲା ହ୍ୱାଇଟ୍‌ ହାଉସ୍‌

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ: ବିଶ୍ୱର ଅନେକ ପ୍ରାନ୍ତରେ ଚାଲୁଥିବା ଯୁଦ୍ଧକୁ ବନ୍ଦ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ନୋବେଲ ପାଇବାର ଯୋଗ୍ୟ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦାବି କରିଛି ଆମେରିକା । ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ବିଶ୍ୱର ଅନେକ ଦେଶରେ ଶାନ୍ତି ଚୁକ୍ତିନାମା ଏବଂ ଯୁଦ୍ଧବିରତି କରାଇଛନ୍ତି। ସେ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ଦାବିକୁ ପୁନର୍ବାର ଦୋହରାଇଛନ୍ତି।

କିଛି ଦିନ ପୂର୍ବରୁ ପ୍ରଥମେ ପାକିସ୍ତାନ ଏବଂ ତା’ପରେ ଇସ୍ରାଏଲ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସୁପାରିଶ କରିଥିଲା। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ, ଇସ୍ରାଏଲ ଏବଂ ଇରାନ, ରୱାଣ୍ଡା ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ସମାପ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଛଅ ମାସର କାର୍ଯ୍ୟକାଳ ମଧ୍ୟରେ ପ୍ରତି ମାସରେ ହାରାହାରି ଗୋଟିଏ ଶାନ୍ତି ଚୁକ୍ତି କିମ୍ବା ଅସ୍ତ୍ରବିରତି ମଧ୍ୟସ୍ଥତା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରିବାର ସମୟ ଆସିଛି।"

ଲେଭିଟ୍ କହିଛନ୍ତି, "ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଯୁଦ୍ଧରେ ୩ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏହା କେବଳ ରାଷ୍ଟ୍ରପତି ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବନ୍ଦ ହୋଇପାରିଥିଲା। ଟ୍ରମ୍ପ୍ ଥାଇଲ୍ୟାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଏବଂ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଫୋନ୍ ମାଧ୍ୟମରେ କଥା ହୋଇଥିଲେ ଏବଂ ଉଭୟ ନେତାଙ୍କୁ କହିଥିଲେ ଯେ ଯେପର୍ଯ୍ୟନ୍ତ ସେମାନେ ଯୁଦ୍ଧ ସମାପ୍ତ ନକରନ୍ତି, ସେପର୍ଯ୍ୟନ୍ତ ଆମେରିକା ସହିତ ବାଣିଜ୍ୟ ଉପରେ କୌଣସି ଆଲୋଚନା କିମ୍ବା ଚୁକ୍ତି ହେବ ନାହିଁ।" 

ଗତ ମାସରେ ଟ୍ରମ୍ପ ନିଜ ପାଇଁ ନୋବେଲ୍ ପୁରସ୍କାର ମାଗିଥିଲେ। ଟ୍ରମ୍ପ କହିଥିଲେ ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ସମେତ ଅନେକ ଦେଶ ମଧ୍ୟରେ ବିବାଦର ସମାଧାନ କରିଛନ୍ତି ଏବଂ ତାଙ୍କ କୂଟନୈତିକ ପ୍ରୟାସ ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ଉଚିତ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.