ବେଙ୍ଗାଲୁରୁ ୦୧/୦୮: ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଝଟକା। ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି ଜନତା ଦଳ(ଏସ୍) ପୂର୍ବତନ ସାଂସଦ । ଏହି ମାମଲାରେ କୋର୍ଟ ରେବାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ କୋର୍ଟ ତାଙ୍କ ରାୟ ଶୁଣାଇବା ପରେ କୋର୍ଟରେ ରେବନ୍ନା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ।
ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି। ଏହା ସହିତ ତାଙ୍କ ଉପରେ ଅନେକ ମହିଳାଙ୍କୁ ଦୁଷ୍କର୍ମ କରିବାର ମଧ୍ୟ ଅଭିଯୋଗ ଅଛି। ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ଅଭିଯୋଗ ହେତୁ, ଜେଡିଏସ୍ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିଥିଲା । ପ୍ରଜ୍ୱଲ ରେବନ୍ନା ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି। ରେବନ୍ନାଙ୍କ ବିରୋଧରେ ମୋଟ ୪ଟି ମାମଲା ରୁଜୁ ହୋଇଛି । ଯେଉଁଥିରୁ ତାଙ୍କୁ କେବଳ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଗାମୀ ଦିନରେ କୋର୍ଟ ଅବଶିଷ୍ଟ ମାମଲାଗୁଡ଼ିକରେ ତାଙ୍କର ରାୟ ଦେଇପାରନ୍ତି।
#WATCH | Bengaluru, Karnataka: On Ex-JDS MP Prajwal Revanna convicted in a rape case, Advocate Ashok Nayak says, "MP/MLA Special Court convicted former MP Prajwal Revanna. Tomorrow, the quantum of sentence will be pronounced. In this case, we have examined 26 witnesses on behalf… pic.twitter.com/Nbj5UMTxma
— ANI (@ANI) August 1, 2025
ପୂରା ମାମଲା କ’ଣ ?
ଘରେ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏହା ବ୍ୟତୀତ ବେଙ୍ଗାଲୁରୁର ସାର୍ବଜନୀନ ସ୍ଥାନରେ ଅନେକ ପେନ୍ ଡ୍ରାଇଭ୍ ମିଳିଥିଲା । ଦାବି କରାଯାଇଥିଲା ଯେ ପେନ୍ ଡ୍ରାଇଭ୍ରେ ୩ ହଜାରରୁ ୫ ହଜାର ଭିଡିଓ ଅଛି । ଯେଉଁଥିରେ ପ୍ରଜ୍ୱଲ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଦେଖିବାକୁ ମିଳିଥିଲା ।
ଏହି ମାମଲା ସାମ୍ନାକୁ ଆସିବା ପରଠାରୁ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ମାମଲାକୁ ବୃଦ୍ଧି ପାଉଥିବା ଦେଖି ତଦନ୍ତ ପାଇଁ SIT ଗଠନ କରାଯାଇଥିଲା। ତଦନ୍ତ ପରେ ପ୍ରଜ୍ୱଲଙ୍କ ବିରୋଧରେ ଦୁଷ୍କର୍ମ, ନିର୍ଯାତନା, ବ୍ଲାକମେଲିଂ ଏବଂ ଧମକ ଦେବା ଭଳି ୩ଟି ମାମଲା ରୁଜୁ କରାଯାଇଥିଲା। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ରେବନ୍ନା ସରକାରୀ ଚାକିରି ଦେଉଥିଲେ।
ପ୍ରଜ୍ୱଲ ରେବନ୍ନା କିଏ?
ପ୍ରଜ୍ୱଲ ରେବନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି । ଜେଜେବାପା ପ୍ରଧାନମନ୍ତ୍ରୀ, କାକା ମୁଖ୍ୟମନ୍ତ୍ରୀ ଓ ବାପା ମନ୍ତ୍ରୀ ରହିସାରିଛନ୍ତି। ସେ ପ୍ରାୟ ୧୦ ବର୍ଷ ଧରି ଜେଡିଏସ୍ର ରାଜନୀତି କରୁଥିଲେ । ରେବନ୍ନା ୨୦୧୯ରେ ହାସନରୁ ଲୋକସଭା ନିର୍ବାଚନ ମଧ୍ୟ ଜିତିଥିଲେ । ତଥାପି, ତାଙ୍କୁ ୨୦୨୪ ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଲୋକସଭା ନିର୍ବାଚନ ବେଳେ ସାମ୍ନାକୁ ଆସିଥିଲା ମାମଲା
୨୦୨୪ ଲୋକସଭା ନିର୍ବାଚନ ସମୟରେ ପ୍ରଜ୍ୱଲ ରେବନ୍ନାଙ୍କ ସେକ୍ସ ଟେପ୍ ମାମଲା ସାମ୍ନାକୁ ଆସିଥିଲା । ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ, କର୍ଣ୍ଣାଟକ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧୁରୀ ତଦନ୍ତ ଦାବି କରିଥିଲେ । କଂଗ୍ରେସ ସରକାରଙ୍କୁ ଏକ ଚିଠି ଲେଖିଥିଲେ, ଯାହା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।