ମୁମ୍ଵାଇ ୦୧।୦୮; ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ୭୧ତମ ସଂସ୍କରଣକୁ ନେଇ ସାରା ଦେଶରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଚଳିତ ବର୍ଷ କେଉଁ କଳାକାର ଓ ଚଳଚ୍ଚିତ୍ର ଏହି ସମ୍ମାନଜନକ ପୁରସ୍କାର ପାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୌଡରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବଂ ଅଭିନେତା ବିକ୍ରାନ୍ତ ମେସିଙ୍କ ନାମ ସବୁଠାରୁ ଆଗରେ ରହିଥିବା ଶୁଣିବାକୁ ମିଳୁଛି।
ସୂଚନା ଅନୁଯାୟୀ, ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ରାଣୀ ମୁଖାର୍ଜୀ ଏବଂ ଶ୍ରେଷ୍ଠ ଅଭିନେତା ବର୍ଗରେ ବିକ୍ରାନ୍ତ ମେସିଙ୍କୁ ଜାତୀୟ ପୁରସ୍କାର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଣୀ ମୁଖାର୍ଜୀଙ୍କୁ ତାଙ୍କ ଚଳଚ୍ଚିତ୍ର 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରର ପ୍ରବଳ ଦାବିଦାର ଭାବେ ବିବେଚନା କରାଯାଉଛି ।
ଏହି ଚଳଚ୍ଚିତ୍ରଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମରେ ରାଣୀଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶକ୍ତିଶାଳୀ ଥିଲା। ସେହିପରି, ‘ଟ୍ୱେଲ୍ଥ ଫେଲ୍’ ଚଳଚ୍ଚିତ୍ରରେ ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମାଙ୍କ ଭୂମିକାରେ ଅଭିନୟ କରି ବିକ୍ରାନ୍ତ ମେସି ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏହି ଫିଲ୍ମଟି ଜଣେ ସାଧାରଣ ଯୁବକର ଅସାଧାରଣ ସଂଘର୍ଷ ଏବଂ ସଫଳତାର କାହାଣୀ । ବିଧୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି କେବଳ ବକ୍ସ ଅଫିସରେ ହିଟ୍ ହୋଇଥିଲା।
ମନୋରଞ୍ଜନଧର୍ମୀ ଫିଲ୍ମ ଭାବେ ଆଲିୟା ଭଟ୍ଟ ଓ ରଣବୀର ସିଂହଙ୍କ ‘ରକି ଔର୍ ରାନୀ କୀ ପ୍ରେମ୍ କାହାନୀ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ହାସଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଜାତୀୟ ସମ୍ମାନ ଭାରତୀୟ ସିନେମା ଉଦ୍ୟୋଗରେ ସବୁଠୁ ସମ୍ମାନାସ୍ପଦ ପୁରସ୍କାର, ଯାହା ସିନେମାର ବିଭିନ୍ନ ବିଭାଗରେ ସର୍ବୋତ୍କୃଷ୍ଟ କଳାତ୍ମକ ଯୋଗଦାନକୁ ମାନ୍ୟତା ଦିଏ । ଚଳିତ ବର୍ଷ ଜାତୀୟ ସମ୍ମାନର ଚୂଡ଼ାନ୍ତ ତାଲିକାକୁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।