News7 Logo

ସି.ପି.ରାଧାକୃଷ୍ଣନଙ୍କୁ କେଉଁଠୁ ମିଳିଲା ଏକ୍ସଟ୍ରା ଭୋଟ? ଜଣାପଡିଲା ରହସ୍ୟ

NEWS7
gfx

ନୂଆଦିଲ୍ଲୀ ୧୧।୯: ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଏବେ ବିଗତ କଥା ହୋଇଗଲାଣି, ହେଲେ ଏହି ନିର୍ବାଚନକୁ ନେଇ ଚର୍ଚ୍ଚା ଏବେବି ଜାରି ରହିଛି। ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସି.ପି.ରାଧକୃଷ୍ଣନ ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି.ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନକୁ ବିଜେପି ନିଜ ସହଯୋଗୀଙ୍କ ସହ ଥିବା ମତାନ୍ତର ଦୂର କରିବାକୁ ମଧ୍ୟ ଉପଯୋଗ କରିଥିବା ଏବେ ଜଣାପଡିଛି।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ପ୍ରାୟ ଦିନ ଅସନ୍ତୋଷର ଖବର ଆସିଥାଏ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ଜାତୀୟ ନେତୃତ୍ୱ ମେଣ୍ଟ ସହଯୋଗୀଙ୍କୁ ଖୁସି କରିବା ପାଇଁ ପୁରା ଉଦ୍ୟମ କରିଥିବା ଏବେ ଜଣାପଡିଛି। ବିଜେପି ନେତୃତ୍ୱ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ନିମନ୍ତେ ସମର୍ଥନ ଯୋଗାଡ କରିବା ପାଇଁ ଶିବସେନା ସାଂସଦ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକାନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କୁ ବାଛିଥିଲେ।

ରାଧକୃଷ୍ଣନଙ୍କୁ କିପରି ମିଳିଲା ଏକ୍ସଟ୍ରା ଭୋଟ?
ବିଜେପି ଅନ୍ତରୀଣ ସୂତ୍ର ଏକ ଇଂରାଜୀ ସମ୍ବାଦପତ୍ରକୁ କହିଛନ୍ତି ଯେ ଶ୍ରୀକାନ୍ତ ସିନ୍ଦେ ନା କେବଳ ଏନଡିଏର ଏକତା ରକ୍ଷା କଲେ ବରଂ ମହାରାଷ୍ଟ୍ରରୁ ସି.ପି. ରାଧକୃଷ୍ଣନଙ୍କ ନିମନ୍ତେ କିଛି ଅତିରିକ୍ତ ଭୋଟ ହାସଲ କରିବାରେ ମଧ୍ୟ ସଫଳ ହୋଇଥିଲେ। କାରଣ ସବୁ ଦଳରେ ତାଙ୍କର ବନ୍ଧୁମାନେ ରହିଛନ୍ତି। ସୂତ୍ରରୁ ମିଳିଥିବା ସୂଚନାରୁ ମନେ କରାଯାଉଛି ଏନଡିଏ ପ୍ରାର୍ଥୀଙ୍କୁ ମିଳିଥିବା ଏକ୍ସଟ୍ରା ଭୋଟରେ ମହାରାଷ୍ଟ୍ର ବିରୋଧୀ ଦଳ ସାଂସଦଙ୍କ  ଭୋଟ ମଧ୍ୟ ରହିଛି। ଏଥିରେ ଏନସିପି (ଶରଦ) ଓ ଶିବସେନା (ୟୁବିଟି) ସାଂସଦ ବି ଥାଇ ପାରନ୍ତି।

ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ନବ ନିର୍ବାଚିତ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କୁ ଭେଟି ତାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ର ସଦନରେ ଭେଟିଥିଲେ। ବି.ସୁଦର୍ଶନ ରେଡ୍ଡୀ ଏନଡିଏ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କ ମିଳିତ ବିପକ୍ଷର ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଛନ୍ତି। ସୁଦର୍ଶନଙ୍କୁ ୩୦୦ଟି ଭୋଟ ମିଳିଥିବା ବେଳେ ରାଧାକୃଷ୍ଣନଙ୍କୁ ୪୫୨ଟି ଭୋଟ ମିଳିଥିଲା। ଏହା ଛଡା ୧୫ଟି ଭୋଟ ନାକଚ ହୋଇଯାଇଥିଲା। ପରାଜୟ ପରେ ବି.ସୁଦର୍ଶନ ରେଡ୍ଡୀ କହିଛନ୍ତି ଯେ ମୁଁ ବିନମ୍ରତା ପୂର୍ବକ ଏହି ଫଳାଫଳକୁ ସ୍ୱୀକାର କରୁଛି। ହେଲେ ତାଙ୍କର ବିଚାରଗତ ସଂଘର୍ଷ ଆହୁରି ଜୋରଦାର ହେବ ବୋଲି କହିଛନ୍ତି।