ପାଟନା ୭।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ମତଦାନ ଇତିହାସ ରଚିଛି। ୧୨୧ ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣରେ ରେକର୍ଡ ୬୪.୬୯% ଭୋଟ ପଡିଛି। ରାଜ୍ୟର ନିର୍ବାଚନ ଇତିହାସରେ ଏହା ସବୁଠୁ ଉଚ୍ଚ ମତଦାନ ହାର। ଏହି ଭୋଟିଂ ରେକର୍ଡ ରାଜ୍ୟରେ ୧୯୫୧ରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ହୋଇଥିଲା ସବୁ ମତଦାନର ରେକର୍ଡ ଭାଙ୍ଗି ଦେଇଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏହାକୁ ‘ଗଣତନ୍ତ୍ରର ବଡ଼ ବିଜୟ’ ବୋଲି କହିଛନ୍ତି।

୨୦୨୦ ମସିହାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୫୫.୬୮% ଭୋଟ ଗ୍ରହଣ ହୋଇଥିଲା। ଏଥର ପାଖାପାଖି ୯% ଅଧିକ ମତଦାନ ହୋଇଛି। ଏହି ମତଦାନରୁ ଜନତାଙ୍କ ମଧ୍ୟରେ ବଡ଼ ଧରଣର ରାଜନୈତିକ ହଲଚଲର ସୂଚନା ମିଳୁଛି। ତେବେ ପ୍ରଶ୍ନ ଉଠୁଛି ଏହି ବର୍ଦ୍ଧିତ ମତଦାନ ବିହାରରେ ନିତିଶ କୁମାରଙ୍କ ଏନଡିଏ ସରକାରଙ୍କୁ କଣ ହଲାଇ ଦେବ?ତେବେ ଇତିହାସ କହୁଛି ଯେବେବି ବିହାରରେ ୫%ରୁ ଅଧିକ ଭୋଟିଂ ହୋଇଛି ସେତେବେଳେ ରାଜ୍ୟରେ ଶାସନ ବଦଳିଛି।

ବିହାର ରାଜନୈତିକ ଇତିହାସରେ ଚଳିତ ଥର ଯଦିଓ ବମ୍ପର ଭୋଟିଂ ହୋଇଛି ତେବେ ଏହା ପୂର୍ବରୁ ମଧ୍ୟ ଅନେକ ବାର ଭୋଟିଂ ପ୍ରତିଶତ ବଢିଥିବାର ରେକର୍ଡ ରହିଛି। ତେବେ ରାଜ୍ୟରେ ପ୍ରତ୍ୟେକ ବାର ବମ୍ପର ଭୋଟିଂରେ ରାଜନୈତିକ ଭୂମିକମ୍ପ ସୃଷ୍ଟି କରିଛି। ଇତିହାସ ଅନୁସାରେ ୧୯୬୭ ମସିହାରେ ୭% ଅଧିକ ଭୋଟ ପଡିଥିଲା। ଫଳରେ ରାଜ୍ୟରେ କଂଗ୍ରେସ ସରକାରର ପତନ ସହ ଅଣ କଂଗ୍ରେସ ସରକାରଙ୍କ ଶୁଭାରମ୍ଭ ହୋଇଥିଲା। ରେକର୍ଡ ଅନୁସାରେ ୧୯୮୦ ମସିହାରେ ୬.୮% ଅଧିକ ଭୋଟିଂ ହୋଇଥିଲା। ଏଥିରେ ଜନତା ପାର୍ଟି ସରକାର କ୍ଷମତା ହରାଇଥିବା ବେଳେ ରାଜ୍ୟରେ ପୁଣି କଂଗ୍ରେସର ସରକାର ହୋଇଥିଲା।

୧୯୯୦ ମସିହାରେ ୫.୮% ଅଧିକ ଭୋଟିଂ ହୋଇଥିଲା। ଫଳରେ ଲାଲୁ ଯାଦବଙ୍କ ଉଦୟ ସହ ରାଜ୍ୟରେ କଂଗ୍ରେସ ସରକାରର ଅବସାନ ହୋଇଥିଲା। ଦେଶରେ ମଣ୍ଡଳ ରାଜନୀତି ବିହାରର ଚେହେରା ବଦଳାଇ ଦେଇଥିଲା। ତେବେ ସବୁ ବେଳେ ଭୋଟ ପ୍ରତିଶତ ବଢିବାରେ ଶାସନ ବଦଳେ ନାହିଁ। କେବେ କେବେ ଭୋଟ ପ୍ରତିଶତ ହ୍ରାସ ଯୋଗୁ ମଧ୍ୟ ସରକାର ବଦଳିଛନ୍ତି। ୨୦୦୫ ମସିହାରେ ଭୋଟ ପ୍ରତିଶତ ୧୬% କମିଥିଲା। ଫଳରେ ନିତିଶ କୁମାରଙ୍କ ସୁଶାନ ମଡେଲର ଜନ୍ମ ହୋଇଥିଲା। ୨୦୧୦ ମସିହାରେ ୭% ଅଧିକ ଭୋଟିଂ ହୋଇଥିଲା। ଏଥିର ରାଜନୀତିରେ ମହିଳାଙ୍କ ଭାଗିଦାରୀ ବଢିବା ସହ ନିତିଶ କୁମାର ଦ୍ୱିତୀୟବାର କ୍ଷମତାକୁ ଫେରିଥିଲେ।

ଏଥର ୮%ରୁ ଅଧିକ ଭୋଟିଂ ବିହାରରେ କୌଣସି ନା କୌଣସି ବଡ଼ ରାଜନୈତିକ ପରିବର୍ତ୍ତନର ସଂକେତ ଦେଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରୁଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ମତଦାନରେ ଏନଡିଏକୁ ‘ମ୍ୟାସିଭ ଲିଡ’ ମିଳିଛି। ଏଥିରେ ଜନସୁରାଜ ସଂସ୍ଥାପକ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏଥର ବିହାରରେ ବଡ଼ ପରିବର୍ତ୍ତନର ସଂକେତ ମିଳୁଛି। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ମୋଟ ଉପରେ ଶାନ୍ତିପୂର୍ଣ୍ଣ ଥିଲା। ଛପରା ବିଧାୟକଙ୍କ ଗାଡି ଉପରେ ଆକ୍ରମଣ ହୋଇଥିବା ବେଳେ ସହରସା ଓ ବକ୍ସରରେ ଇଭିଏମ ତ୍ରୁଟି ନେଇ ଛୋଟ ମାମଲା ସାମ୍ନାକୁ ଆସିଥିଲା।

ସିଇସି ଜ୍ଞାନେଶ କୁମାର କହିଛନ୍ତି ଯେ ୧୦୦% ପୋଲିଂ ଷ୍ଟେସନରେ ଲାଇଭ କାଷ୍ଟିଂ ହୋଇଛି ଓ ପାରଦର୍ଶିତା ଏ ପର୍ଯ୍ୟନ୍ତର ସବୁଠୁ ଉଚ୍ଚତମ ସ୍ତରରେ ରହିଛି। ୩.୭୫କୋଟି ଭୋଟରଙ୍କ ମଧ୍ୟରେ ୨ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଭୋଟ ଦେଇଛନ୍ତି। ଏଣୁ ଆୟୋଗ ଏହାକୁ ଡେମୋକ୍ରାସୀର ବାସ୍ତବ ବିଜୟ ବୋଲି କହିଛନ୍ତି। ଇତିହାସ ରହିଛି ଯେବେବି ବିହାରରେ ଭୋଟ ପ୍ରତିଶତ ବଢିଛି ସରକାର ବଦଳିଛି। ବର୍ତ୍ତମାନର ପରିସ୍ଥିତିରେ ମୋଦି-ନିତିଶ ମେଣ୍ଟ ବେଶ୍ ଆତ୍ମ ବିଶ୍ୱାସରେ ଅଛି। ତେବେ ତଥ୍ୟ କହୁଛି ଉଚ୍ଚ ଭୋଟ ହାର ପରିବର୍ତ୍ତନର କାରଣ ବି ହୋଇ ପାରେ। ପ୍ରଶାନ୍ତ କିଶୋର ଓ ତେଜସ୍ୱୀ ଯାଦବଙ୍କ ନୂଆ ପୁରୁଣା ଚେହେରାରେ ୧୪ ନଭେମ୍ବର ଭୋଟ ଗଣନା ବିହାର ରାଜନୀତିର ଭବିଷ୍ୟତ ନିର୍ଣ୍ଣୟ କରିବ।